ନୂଆଦିଲ୍ଲୀ : ମୋଦି ସରକାର ନିଜର ୨ୟ ଇନିଂସ ଆରମ୍ଭ କରୁ କରୁ ଅର୍ଥନୈତିକ ଦିଗରୁ ଦୁଃସମ୍ବାଦମାନ ପହଞ୍ଚିବାରେ ଲାଗିଛି । ଗତକାଲି ସରକାରୀ ରିପୋର୍ଟ ଆସିଥିଲା ଯେ ଜାନୁୟାରୀ-ମାର୍ଚ୍ଚ ତିନିମାସରେ ଦେଶର ଜିଡିପି ଅଭିବୃଦ୍ଧି ୫.୮ପ୍ରତିଶତକୁ ହ୍ରାସ ପାଇଛି । ଆହୁରି ମଧ୍ୟ ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ସ୍ତର ୬.୮ ପ୍ରତିଶତରେ ପହଞ୍ଚିଯାଇଛି । ଆଜି ଆଉ ଏକ ଦୁଃସମ୍ବାଦ ଆମେରିକାରୁ ଆସିଛି । ଆମେରିକା ଭାରତକୁ ଦେଉଥିବା ପ୍ରିଫରେନ୍ସିଆଲ ଟ୍ରେଡ ଷ୍ଟାଟସ (ଜିଏସପି ବା ଜେନେରାଲାଇଜଡ ଷ୍ଟାଟସ ଅପ ପ୍ରିଫରେନ୍ସ )କୁ ପ୍ରତ୍ୟାହାର କରିନେଇଛି । ଜୁନ ୫ରୁ ଏହା ଲାଗୁ ହେବ ।

Advertisment

ଏହା ଦ୍ୱାରା ଆମେରିକାକୁ ଯାଉଥିବା ଭାରତର ୬.୫ ବିଲିୟନ ଡଲାର ମୂଲ୍ୟର ରପ୍ତାନୀ ପ୍ରଭାବିତ ହେବ । ଆମେରିକାର ଏହି ନିଷ୍ପତ୍ତିକୁ ନୈରାଶ୍ୟଜନକ ବୋଲି କହିଛି ଭାରତ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କହିଛି ଯେ ଏହି ସମସ୍ୟାର ଏକ ସମାଧାନ ବାହାର କରିବାକୁ ଭାରତ ପ୍ରସ୍ତୁତ ଥିବାବେଳେ ଆମେରିକାର ଏହି ନିଷ୍ପତ୍ତି ନୈରାଶ୍ୟଜନକ । ନିଜର ଜାତୀୟ ସ୍ୱାର୍ଥରକ୍ଷା ପାଇଁ ଭାରତ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ବାଣିଜ୍ୟ ମନ୍ତ୍ରାଳୟ କହିଛି ।