ନୂଆଦିଲ୍ଲୀ: ୨ବର୍ଷ ୯ମାସ ଯାଏ ହେଲା ଋତୁସ୍ରାବ।  ପ୍ୟାଡ୍ କିଣିବାରେ ଶେଷ ହେଲା ଜମାପୁଞ୍ଜି। ଜଣେ ଟିକ୍‌ଟକ୍ ବ୍ୟବହାରକାରୀ ତାଙ୍କର ଅସ୍ୱାଭାବିକ ଋତୁସ୍ରାବକୁ ନେଇ ନିଜର ଭୟଙ୍କର ଅନୁଭୂତି ସେୟାର କରିଛନ୍ତି। ୨ବର୍ଷ ୯ମାସ ଯାଏ ମହିଳାଙ୍କ ଏଭଳି ଅବସ୍ଥାର କାରଣ ରହସ୍ୟ ହୋଇ ରହିଥିଲା। ଡାକ୍ତରଙ୍କ ସହିତ ପରାମର୍ଶ କରିବା ସତ୍ତ୍ୱେ ମଧ୍ୟ ମହିଳା ଜଣକ ମୂଳ କାରଣ ଖୋଜି ପାରି ନଥିଲେ।

Advertisment

ପପି କହିଛନ୍ତି ଯେ, "ଅଧିକାଂଶ ମହିଳାଙ୍କ ମାସିକ ଋତୁସ୍ରାବ ପ୍ରତି ୨୧ରୁ ୩୫ଦିନ ବ୍ୟବଧାନରେ ହୁଏ ଏବଂ ୭ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୁଏ। ହେଲେ ଏବେ ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଅନେକ ମହିଳାଙ୍କ ଋତୁସ୍ରାବର ବ୍ୟବଧାନ ବଢ଼ିବା ସହ ୭ରୁ ଅଧିକ ଦିନ ପର୍ଯ୍ୟନ୍ତି ଋତୁସ୍ରାବ ହେଉଛି। ଏହା ଅତି ସାଧାରଣ ହୋଇଗଲାଣି। ୭ରୁ ଅଧିକ ଦିନ ଋତୁସ୍ରାବ ହେଲେ ମହିଳାମାନେ ଡାକ୍ତରଙ୍କୁ ଦେଖାଇ ଏହାକୁ ବନ୍ଦ କରାଇବା ପାଇଁ ଔଷଧ ଖାଇଥାନ୍ତି। ମୋର ୨ ସପ୍ତାହ ଧରି ଋତୁସ୍ରାବ ଲାଗି ରହିବା ପରେ ମୁଁ ଡାକ୍ତରଙ୍କୁ ଦେଖାଇଥିଲି। ଅନେକ ଡାକ୍ତରଙ୍କ ପରାମର୍ଶ, ପରୀକ୍ଷା ଏବଂ ଔଷଧ ସତ୍ତ୍ୱେ, ମୋ ଋତୁସ୍ରାବ ବନ୍ଦ ହୋଇନଥିଲା। ମୋ ଡିମ୍ବାଶୟରେ ସିଷ୍ଟ ମିଳିଥିଲା, କିନ୍ତୁ ଏଭଳି ଋତୁସ୍ରାବ ବନ୍ଦ ନହେବାର କାରଣ ତାହା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ମୁଁ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲି। ମୋ ଶରୀରର ସବୁ ଅଙ୍ଗରେ ଯନ୍ତ୍ରଣା ହେବା ସହ ମୋତେ ବାନ୍ତି ଲାଗୁଥିଲା। ଡାକ୍ତର ବିଭିନ୍ନ ଚିକିତ୍ସା କରିଥିଲେ ବି ମୋ ସମସ୍ୟାର ସମାଧାନ ହେଲା ନାହିଁ। ୨ବର୍ଷ ୯ମାସ ଯାଏ ମୁଁ ପ୍ରତିଦିନ କାନ୍ଦିଥିଲି ଏବଂ ସମସ୍ୟାର ସମାଧାନ ଖୋଜିଥିଲି। ୨ବର୍ଷ ୯ମାସ ପରେ ଜଣେ ଟିକ୍‌ଟକ୍ ବ୍ୟବହାରକାରୀଙ୍କ ସହାୟତାରେ ମୁଁ ମୋର ସମସ୍ୟା କ’ଣ ତାହା ଜାଣିପାରିଲି।"

ସେ ଆହୁରି କହିଛନ୍ତି ଯେ, ଜଣେ ଫଲୋୟର୍ସ ମୋତେ ଏକ ବିରଳ ସମସ୍ୟା ବିଷୟରେ କହିଲେ ଯାହାକୁ 'ବାଇକର୍ଣ୍ଣୁଏଟ୍ ୟୁଟେରସ୍' କୁହାଯାଏ। ଏହା ହେବା ଦ୍ବାରା ଗର୍ଭାଶୟ ଗୋଟିଏ ଚାମ୍ବର ବଦଳରେ ଦୁଇଟି ଚାମ୍ବରରେ ବିଭକ୍ତ ହୋଇଥାଏ। ଆଶ୍ଚର୍ଯ୍ୟଜନକ ଭାବରେ, ଋତୁସ୍ରାବର ତୃତୀୟ କିମ୍ବା ଚତୁର୍ଥ ମାସ ପାଖାପାଖି ମୋର ପ୍ରଥମ ଅଲ୍ଟ୍ରାସାଉଣ୍ଡରେ ଏବିଷୟରେ ଜାଣିପାରିଥିଲେ ଡାକ୍ତର। କିନ୍ତୁ ଏହାର ଗୁରୁତ୍ୱ ବହୁତ ପରେ ଅନୁଭବ ହୋଇଥିଲା। 'ବାଇକର୍ଣ୍ଣୁଏଟ୍ ୟୁଟେରସ୍', ଏକ ବିରଳ ଅବସ୍ଥା ଯାହା ୫% ରୁ କମ୍ ମହିଳାଙ୍କୁ ପ୍ରଭାବିତ କରେ। ଏହା ଅତ୍ୟଧିକ ଏବଂ ଦୀର୍ଘକାଳୀନ ଋତୁସ୍ରାବ ଏବଂ ଯନ୍ତ୍ରଣାଦାୟକ ଋତୁସ୍ରାବ ଭଳି ଗମ୍ଭୀର ଲକ୍ଷଣ ଦେଖାଏ। ହେଲେ ଅନେକ ମହିଳାଙ୍କ ପାଖରେ ଏହି ଲକ୍ଷଣ ଦେଖାଯାଏନାହିଁ। ମୁଁ ୧,୦୦୦ଦିନ ଅତ୍ୟନ୍ତ ଯନ୍ତ୍ରଣାରେ ବିତାଇଛି, ମାସିକ ଋତୁସ୍ରାବ ପ୍ୟାଡ୍ ଏବଂ ମାସିକ ଋତୁସ୍ରାବ ଉତ୍ପାଦ, ନୂଆ ପ୍ୟାଣ୍ଟ, ନୂଆ ଅନ୍ତଃବସ୍ତ୍ର, ନୂଆ ଚାଦର ପାଇଁ ମୋ ଜୀବନର ସଞ୍ଚୟ, ଖର୍ଚ୍ଚ କରିଦେଇଛି। ଏବେ ମୁଁ ଚିକିତ୍ସାର ବିଭିନ୍ନ ବାଟ ଖୋଜୁଛି। ସର୍ଜରୀ କରି ଗର୍ଭଶୟର ଆକାର ଠିକ୍ କରିବା ବିଷୟରେ ଚିନ୍ତା କରୁଛି।"