ଟାଲାହାସି: ‘ରୁମ୍ମେଟ୍’କୁ ହତ୍ୟା କରିଥିବା ଆମେରିକାର ଜଣେ ମହିଳା ‘ଫୋରେନ୍ସିକ୍’ ପ୍ରମାଣ ଏଡ଼ାଇବା ଲାଗି ନିଜ ଦେହରେ ଲାଗିଥିବା ରକ୍ତଛିଟା ଧୋଇବା ଲାଗି ପୁଲିସଦ୍ବାରା ‘ମାଉଣ୍ଟେନ୍ ଡିୟୁ’ ସୋଡ଼ା ମଗାଇ ନିଜ ଉପରେ ଢାଳିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ୩୫ ବର୍ଷୀୟ ମହିଳା ନିକୋଲ୍ ଏ. ମ୍ୟାକ୍ସ୍ ତାଙ୍କ ୭୯ ବର୍ଷିୟ ପୁରୁଷ ‘ରୁମ୍ମେଟ୍’ ମାଇକେଲ୍ ସେରାସୋଲିଙ୍କୁ ଅଗଷ୍ଟ ୫ ତାରିଖ ରାତିରେ ମାରଧର କରି ଛୁରି ଭୁସି ହତ୍ୟା କରିଥିଲେ।
ଡେଟୋନା ବିଚ୍ ପୁଲିସ କହିଛି, ମାଇକେଲ୍ଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ମ୍ୟାକ୍ସ୍ ଘରେ ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପରେ ଘରେ ଜଣେ ବ୍ୟକ୍ତି ମରି ପଡ଼ିଥିବା ଦେଖିଲେ। ତାଙ୍କ ମୁଣ୍ଡର ପଛ ଭାଗରେ ମାଡ଼ ଚିହ୍ନ ଓ ଦେହରେ ଏକାଧିକ ଛୁରିକାଘାତ କ୍ଷତ ଥିଲା।
ଘର ଭଡ଼ା ଦେଇଥିବା ମାଲିକ ପୁଲିସକୁ କହିଲେ ଯେ, ଏ ବ୍ୟକ୍ତିଙ୍କ ସହିତ ମ୍ୟାକ୍ସ୍ ନାମରେ ଜଣେ ମହିଳା ରହୁଥିଲେ, କିନ୍ତୁ ଏବେ ତାଙ୍କର ପତ୍ତା ମିଳୁନି। ସେତିକି ବେଳେ ମୃତବ୍ୟକ୍ତିଙ୍କ ପାଖରୁ ପୁଲିସ ଗୋଟାଏ ରକ୍ତଲଗା ଛୁରି ଓ ୨ଟି ସେଲ୍ଫୋନ୍ ପାଇଲେ। କାନ୍ଥରେ ରକ୍ତ ଛିଟିକା ପଡ଼ିଥିବା ବି ଦେଖିଲେ।
ଅନୁସନ୍ଧାନ ଚଳାଇ ପୁଲିସ କିଛି ସମୟ ପରେ ନିକଟରେ ଥିବା ଗୋଟାଏ ରେସ୍ତୋରାଁରେ ଖାଲିପାଦ ଓ ଅପରିଷ୍କାର ଦିଶୁଥିବା ଜଣେ ମହିଳାଙ୍କୁ ଠାବକଲେ। ପାଖକୁ ଯିବାରୁ ସେ ପୁଲିସ ପାଦତଳେ ଗୋଟାଏ ଛୁରି ଓ ହାତୁଡ଼ି ପକାଇ ଦେଲେ।
ମୃତ ବ୍ୟକ୍ତିଙ୍କୁ ଚିହ୍ନିଥିବା ଅସ୍ବୀକାର କରି ପୁଲିସକୁ ମ୍ୟାକ୍ସ୍ କହିଲେ ଯେ, ସେ ନିଜେ ଜଣେ ବାସହରା। ଅନ୍ୟାନ୍ୟ ପ୍ରସଙ୍ଗ ପଚାରିବାରୁ ସେ କଥା ଏଡ଼ାଇବା ସହିତ ତାଳ ମେଳ ରହୁ ନ ଥିବା ବୟାନ ଦେବାରୁ ଡେଟୋନା ପୁଲିସ ତାଙ୍କୁ ଜେରା କରିବାକୁ ହାଜତକୁ ନେଇଗଲା।
ତା’ପରେ ପୁଲିସ ମ୍ୟାକ୍ସଙ୍କୁ କହିଲା କି, ତାଙ୍କ ଦେହରେ ଲାଗିଥିବା ରକ୍ତରୁ ‘ଡିଏନ୍ଏ’ ନମୁନା ସଂଗ୍ରହ କରିବା ପାଇଁ ସେମାନେ ‘ୱାରେଣ୍ଟ୍’ ପାଇଛନ୍ତି। ଏକଥା ଶୁଣି ମ୍ୟାକ୍ସ ପୁଲିସକୁ ‘ଡାଏଟ୍ ମାଉଣ୍ଟେନ୍ ଡିୟୁ’ଟିଏ ପାଇଁ ଅନୁରୋଧ କଲେ।
ପୁଲିସ ଆଣି ଦେଇଥିବା ‘ଡାଏଟ୍ ମାଉଣ୍ଟେନ୍ ଡିୟୁ’ ସୋଡ଼ା ପିଇବାରେ ସେ ଖୁବ୍ ବିଳମ୍ବ କଲେ। ଏହା ଦେଖି ପୁଲିସ ତାଙ୍କ ହାତରୁ ବୋତଲଟି ଛଡ଼ାଇ ନେବାକୁ ଉଦ୍ୟମ କରିବାରୁ ସେ ଉକ୍ତ ସୋଡ଼ାକୁ ନିଜ ଦେହ ଓ ମୁଣ୍ଡରେ ଓଜାଡ଼ି ପକାଇଲେ। ଏଭଳି କରି ସେ ତାଙ୍କ ଦେହରେ ଲାଗିଥିବା ମୃତବ୍ୟକ୍ତିଙ୍କ ରକ୍ତରେ ଥିବା ‘ଡିଏନ୍ଏ’କୁ ନଷ୍ଟ କରି ଦେଲେ।
ଶେଷରେ ମୃତବ୍ୟକ୍ତିଙ୍କ ଶବ ନିକଟରେ ପଡ଼ିଥିବା ଛୁରିବେଣ୍ଟରୁ ‘ଡିଏନ୍ଏ’ ନମୁନା ମିଳିଲା। ସମ୍ପ୍ରତି ମ୍ୟାକ୍ସଙ୍କୁ ଭୋଲୁସିଆ କାଉଣ୍ଟି ଜେଲ୍ରେ ବନ୍ଦୀ ଭାବେ ରଖାଯାଇଛି। ସେପ୍ଟେମ୍ବର ୫ ତାରିଖ ଦିନ ତାଙ୍କୁ ଅଦାଲତରେ ହାଜର କରାଯିବ।