ଚୀନ୍‌ କ୍ଷେପଣାସ୍ତ୍ରକୁ ଆମେରିକାର ଭୟ:ଭାରତ ପାଇଁ ବିପଦ ବଢ଼ୁଛି

ନୂଆଦିଲ୍ଲୀ: ବିଗତ ୩ ଦଶନ୍ଧୀ ଧରି ଆମେରିକା ଏବଂ ତା’ର ସହଯୋଗୀ ରାଷ୍ଟ୍ରମାନେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗୁଁ ଯେଭଳି ଆଧିପତ୍ୟ ଜାହିର କରିଆସୁଥିଲେ, ତାହା ଏବେ ବଦଳି ଯାଇଛି। ଏ କ୍ଷେତ୍ରରେ ଆମେରିକାକୁ ଚୀନ୍‌ ବଳିଗଲାଣି। ଚୀନ୍‌ର କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ଏବେ ବିସ୍ମୟକାରୀ ପ୍ରଗତି ହୋଇଛି ଏବଂ ଏହା ଆମେରିକା ପାଇଁ ଉଦ୍‌୍‌ବେଗର କାରଣ ହୋଇଛି। ଚୀନ୍‌ର ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରି ପ୍ରସ୍ତୁତ କରିଥିବା ‘ଏୟାର ଟୁ ଏୟାର’ କ୍ଷେପଣାସ୍ତ୍ର ବ୍ୟବସ୍ଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ଭାବେ ପ୍ରମାଣିତ ହୋଇଛି। ପଶ୍ଚିମ ରାଷ୍ଟ୍ରଗୁଡ଼ିକର ବାୟୁସେନା ଏବଂ ବିଶ୍ୱ ଅସ୍ତ୍ର ବଜାରରକୁ ନେଇ ପରିସ୍ଥିତି ଏବେ ବଦଳୁଛି। ଚୀନ୍‌ ଏବେ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିଥିବାରୁ ଭାରତ ପାଇଁ ମଧ୍ୟ ଏହା ଚିନ୍ତାର କାରଣ ହୋଇଛି।
ରୁଷ୍‌ ନିଜ ବାୟୁସେନାକୁ ଅତ୍ୟାଧୁନିକ କରିବାରେ ସମସ୍ତଙ୍କଠାରୁ ଆଗରେ ରହିଛି ଏବଂ ଲଗାତାର ଏହି ପ୍ରକ୍ରିୟାରେ ଗବେଷଣା ଜାରି ରଖିଛି। ଚୀନର ଅର୍ଥ ବ୍ୟବସ୍ଥା ଏବେ ୧୩ ଲକ୍ଷ କୋଟି ଡାଲାରରେ ପହଞ୍ଚିଛି ଏବଂ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ପାଇଁ ସାମରିକ ଦୃଷ୍ଟିରୁ ବହୁତ ବଡ଼ ଚ୍ୟାଲେଂଜ ହୋଇଛି। ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ସଂସ୍ଥାନ ମୁତାବକ ୨୦୧୭ରେ ଚୀନ୍‌ର ପ୍ରତିରକ୍ଷା ଖର୍ଚ୍ଚ ଆମେରିକାଠାରୁ ୫.୬ ପ୍ରତିଶତ ଅଧିକ ରହିଥିଲା। ରୁଷ୍‌ର ପ୍ରତିରକ୍ଷା ବଜେଟରେ ଚଳିତ ବର୍ଷ ୨୦ ପ୍ରତିଶତ ହ୍ରାସ କରାଯାଇଛି। ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ଷେତ୍ରରେ ଚୀନ୍‌ର ବିଶାଳ ଅଗ୍ରଗତି ଆମେରିକା ଦାଦାଗିରିର ପରିସମାପ୍ତି ଘଟାଇଛି। ଚୀନ୍‌ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଏଭଳି ସ୍ଥିତିରେ ପହଞ୍ଚାଇଛି ଯେ ବିଶ୍ୱର କୌଣସି ଶକ୍ତି ମଧ୍ୟ ଏହାର କ୍ଷତି ପହଞ୍ଚାଇ ପାରିବ ନାହିଁ। ଗୋଟିଏ ପଟେ ସୁଦୃଢ଼ ରାଜନୈତିକ ସ୍ଥିରତା ଓ ଅନ୍ୟପଟେ ଘାତ ଶକ୍ତିରେ ଆଶାତୀତ ବଳୀୟାନ ହୋଇ ଚୀନ୍‌ ଏବେ ପୂରା ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିଚାଲିଛି।

୨୦୧୭ରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ୬୩.୯ ବିଲିୟନ ଡଲାର ଖର୍ଚ୍ଚ କରିଥିବା ବେଳେ ଚୀନ୍‌ ୨୨୮ ବିଲିୟନ ଡଲାର ଖର୍ଚ୍ଚ କରିଛି। ଚୀନ୍‌ ନିଜର ଅନେକ କ୍ଷେପଣାସ୍ତ୍ର ରୁଷ୍‌ ସହଯୋଗରେ ତିଆର କରିଛି, କିନ୍ତୁ ଏବେ ଏହା ରୁଷ୍‌କୁ ମଧ୍ୟ ଅତିକ୍ରମ କରିଯାଇଛି। ଗରିବ ରାଷ୍ଟ୍ରମାନଙ୍କୁ ଚୀନ୍‌ କ୍ଷୁଦ୍ର ଏବଂ ଶସ୍ତା ଯୁଦ୍ଧାସ୍ତ୍ର ବିକ୍ରି କରିବାରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଆମେରିକା ଯେଉଁ ରାଷ୍ଟ୍ରମାନଙ୍କୁ ଡ୍ରୋନ୍‌ ଜ୍ଞାନକୌଶଳ ଦେବାକୁ ମନା କରୁଛି, ଚୀନ୍‌ ସେହି ରାଷ୍ଟ୍ରମାନଙ୍କୁ ସଶସ୍ତ୍ର ଡ୍ରୋନ୍‌ ବିକ୍ରି କରୁଛି।

ସମ୍ବନ୍ଧିତ ଖବର