ନ୍ୟୁୟର୍କ : ଆମେରିକାର ଜଣେ ପାଇଲଟ୍ ଏକ ବିମାନକୁ ଅପହରଣ କରିବାସହ ମିସିସିପି ରାଜ୍ୟ ଟୁପେଲୋ ଠାରେ ଥିବା ଏକ ଓ୍ବାଲମାର୍ଟ ଷ୍ଟୋର ସହ ଧକ୍କା କରିବାକୁ ଧମକ ଦେଇଛି । ଏପରି ଧମକ ଦେବା ସହ ସେ ବିମାନଟିକୁ ଆକାଶରେ ଘୁରାଇବାରେ ଲାଗିଛି । ଏହି ଘଟଣାକୁ ନେଇ ସମଗ୍ର ଆମେରିକାରେ ଆତଙ୍କ ଖେଳିଯାଇଛି । ପୁଣି ଏକ ୯-୧୧ ଆକ୍ରମଣ ଆଶଙ୍କାରେ ଆମେରିକାବାସୀ ଆତଙ୍କିତ ହୋଇଯାଇଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ସମୟ ସକାଳ ୫ଟାରେ ଟୁପେଲୋ ପୁଲିସ ବିଭାଗ ପାଖକୁ ଖବର ଆସିଲା ଯେ ଜଣେ ବ୍ୟକ୍ତି ଏକ ବିମାନ ଅପହରଣ କରିନେବା ସହ ବିମାନକୁ ଓ୍ବାଲମାର୍ଟ ଷ୍ଟୋର ସହ ଧକ୍କା କରିବାକୁ ଧମକ ଦେଉଛି । ଏହା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ସପିଂ ମଲରେ ଥିବା ଲୋକମାନଙ୍କ ଖାଲି କରାଇଥିଲା । ଏହା ସହିତ ସଂପୃକ୍ତ ଅଂଚଳକୁ ସିଲ କରିବା ସହ ଲୋକମାନଙ୍କ ବିନା ଅନୁମତିରେ ପ୍ରବେଶ ଉପରେ ରୋକ ଲଗାଇଥିଲା । ଏପରିକି ସହରର ଅନ୍ୟ ଜନବହୁଳ ସ୍ଥାନ ଓ ସପିଂ ମଲଗୁଡ଼ିକୁ ଖାଲି କରିଦିଆଯାଇଛି ।

ସଂପୃକ୍ତ ବ୍ୟକ୍ତିର ପରିଚୟ ଜଣା ପଡ଼ିନଥିବାବେଳେ ସେ କଣ ଦାବି କରୁଛି ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଉକ୍ତ ବିମାନଟି ସାଉଥଇଷ୍ଟ ଆଭିଏସନ କମ୍ପାନିର ବୋଲି ଜଣାପଡ଼ିଛି ।

ସଂପୃକ୍ତ ବ୍ୟକ୍ତିକୁ ମନାଇବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ଖହର ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ନିଜ ଜିଦରେ ଅଟଳ ରହିଥିଲା ।