ଆମେରିକା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଲାଗୁହେବ ଟ୍ରମ୍ପଙ୍କ ଭିସା କଟକଣା

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନଲ୍‌୍‌ଡ ଟ୍ରମ୍ପ୍‌ଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ଆଜି ସୁପ୍ରିମ୍‌ କୋର୍ଟ ମଂଜୁର କରିଛନ୍ତି। ୬ଟି ମୁସ୍‌ଲିମବହୁଳ ରାଷ୍ଟ୍ରର ନାଗରିକଙ୍କ ସମେତ ଉତ୍ତରକୋରିଆ ଏବଂ ଭେନେଜୁଏଲାର କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ପାଇଁ ଆମେରକା ଭିସା ଆଉ ମିଳିପାରିବ ନାହିଁ । ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଆଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆମେରିକାର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆମେରିକା ଆଟର୍ଣ୍ଣି ଜେନେରାଲ ଜେଫ୍‌ ସେସନ୍ସ କହିଛନ୍ତି ଏହା ଆମେରିକାବାସୀଙ୍କ ସୁରକ୍ଷା ଓ ନିରାପତ୍ତାର ବିଜୟ । ଗତ ସେପ୍ଟେମ୍ବରରେ ଟ୍ରମ୍ପ ସରକାର ଦେଇଥିବା ଏହି ନୂଆ ନିର୍ଦ୍ଦେଶନାମାକୁ ବିରୋଧ କରି ଦେଶର ଅନେକ ନିମ୍ନ ଅଦାଲତରେ ପିଟିସନ ଦାଏରର ହୋଇଥିଲା । ସରକାରଙ୍କ ଆଦେଶନାମାକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ସୋମବାର ଆମେରିକା ସର୍ବୋଚ୍ଚ ଅଦାଲତର ୯ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ବହୁମତ(୭-୨)ରେ ସରକାରଙ୍କ ଏହି ନୂଆ ଆଦେଶକୁ ଠିକ୍‌ ବୋଲି ଦର୍ଶାଇବା ପରେ ଏହା ଏବେ ଆଇନ୍‌ରେ ପରିଣତ ହୋଇଛି । କିନ୍ତୁ ଏବେ ସୁଦ୍ଧା ସଭିଲ ଲିବର୍ଟି ୟୁନିୟନ ଏହାକୁ ମୁସ୍‌ଲିମଙ୍କ ପାଇଁ ଅନ୍ୟାୟ କହି ବିରୋଧ କରିଆସୁଛନ୍ତି । ଟ୍ରମ୍ପ ସରକାର ମୁସଲିମ ବିରୋଧୀ ହୋଇଥିବାରୁ ଆମେରିକା ସମ୍ବିଧାନର ଉଲ୍ଲଂଘନ କରିବାକୁ ମଧ୍ୟ ପଛାଉ ନାହାନ୍ତି ବୋଲି ବିଭିନ୍ନ ସଂଗଠନ ମତ ଦେଇଛି।
ମୁସ୍‌ଲିମ ବହୁଳ ଲିବିୟା, ସୋମାଲିଆ, ଇରାନ୍‌, ସିରିୟା ଓ ୟେମେନ୍‌ ପାଇଁ ଆମେରିକା ଭିସା ପ୍ରଦାନରେ କଟକଣା ଲାଗୁ କରିବା ପାଇଁ ଆମେରିକା ପ୍ରଶାସନ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଉତ୍ତରକୋରିଆ ଏବଂ ଭେନେଜୁଏଲାର କିଛି ନିର୍ଦ୍ଧିଷ୍ଟ ସଦସ୍ୟଙ୍କ ପାଇଁ ମଧ୍ୟ ଏହି ଭିସା କଟକଣା ଲାଗୁ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ ବିରୋଧ କରି ଆନେକ ନିମ୍ନ ଅଦାଲତରେ ପିଟିସନ ଦାଖଲ ହୋଇଥିଲା । କିନ୍ତୁ କାହିଁକି ଏହି କଟକଣା ଲାଗୁ କରାଯିବନି ସେନେଇ ଯୁକ୍ତି ରଖିବାକୁ ପ୍ରତିପକ୍ଷ ବିଫଳ ହୋଇଥିଲେ । ଆମେରିକାକୁ ଆତଙ୍କବାଦ କବଳରୁ ମୁକ୍ତ ରଖିବା ପାଇଁ ଏହି କଟକଣା ଲାଗିବା ନିତାନ୍ତ ଆବଶ୍ୟକ ବୋଲି ହ୍ଵାଇଟହାଉସ୍‌ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଅଳ୍ପ କିଛି ଦିନ ମଧ୍ୟରେ ଗତ ଜାନୁଆରିରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଭିସା କଟକଣା ଲାଗୁ କରିଥିଲେ । କିନ୍ତୁ ନିମ୍ନ ଅଦାଲତର ବିରୋଧ ପରେ ଏହି ନିର୍ଦ୍ଦେଶନାମା ଲାଗୁ ହୋଇପାରିନଥିଲା ।

ସମ୍ବନ୍ଧିତ ଖବର