ପାକିସ୍ତାନ ମାଟିରେ କ୍ଷେପଣାସ୍ତ୍ର ପଡ଼ିବା ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା!

ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଭାରତର କ୍ଷେପଣାସ୍ତ୍ର ପଡ଼ିବା ଘଟଣାରେ ଆମେରିକା ଏବେ ପ୍ରତିକ୍ରିୟା ରଖିଛି। ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଭାରତରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ଏକ ଦୁର୍ଘଟଣା। ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆପଣ ଯେପରି ଭାରତଠାରୁ ସହକର୍ମୀଙ୍କଠାରୁ ଶୁଣିଥିବେ ଯେ ଏହି ଘଟଣା ଭୁଲ ବ୍ୟତୀତ ଆଉ କିଛି ନୁହେଁ | ଏହା ପଛରେ ଅନ୍ୟ କୌଣସି କାରଣ ଥିବା ପରି ମନେ ହେଉନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, “ଆପଣ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ଉଚିତ୍। ସେମାନେ ମାର୍ଚ୍ଚ ୯ ରେ ଏକ ବିବୃତ୍ତି ଜାରି କରି ପ୍ରକୃତରେ ସେଦିନ କ’ଣ ଘଟିଥିଲା ​​ତାହା ସ୍ପଷ୍ଟ କରିଛନ୍ତି। ଆମେ ଏହା ବ୍ୟତୀତ ଅନ୍ୟ କୌଣସି ମନ୍ତବ୍ୟ ଦେଇପାରିବୁ ନାହିଁ | ସୂଚନାଯୋଗ୍ୟ ଯେ ଗତ ୯ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇ ପାକିସ୍ତାନ ଅଞ୍ଚଳରେ ପଡ଼ିଥିଲା। ଏଥିପାଇଁ ଭାରତ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଥିଲା। ଏହି ଦୁର୍ଘଟଣା ଯୋଗଁ କୌଣସି ଜୀବନହାନୀ ହୋଇ ନଥିବାରୁ ଭାରତ ଆଶ୍ବସ୍ତି ପ୍ରକାଶ କରିଥିଲା।

ତେବେ ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା ଯେ କ୍ଷେପଣାସ୍ତ୍ର ପରିଚାଳନାରେ ଭାରତର ଏଭଳି ଗୁରୁତର ତ୍ରୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ। ଏହାକୁ କେବଳ ବୈଷୟିକ ତ୍ରୁଟି ବୋଲି କହିଦେଲେ ଚଳିବ ନାହିଁ। ଏକ୍ଷେତ୍ରରେ ଅନେକ ଗୁରୁତର ତ୍ରୁଟି ରହିଛି। ତେଣୁ ଏହାର ବ୍ୟାପକ ତଦନ୍ତ ହେବା ଦରକାର। କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିବାରୁ ଏହି ତଦନ୍ତରେ ପାକିସ୍ତାନକୁ ମଧ୍ୟ ସାମିଲ କରାଯାଉ।

ସମ୍ବନ୍ଧିତ ଖବର