ମୁମ୍ବାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ଲାଉଡସ୍ପିକର ବିବାଦ। ମହାରାଷ୍ଟ୍ର ନବନିର୍ମାଣ ସେନା ମହାରାଷ୍ଟ୍ର ଏବଂ ମୁମ୍ବାଇର ମସଜିଦ ଉପରେ ଲଗାଯାଇଥିବା ଲାଉଡସ୍ପିକରରେ ଆଜାନକୁ ବିରୋଧ କରୁଥିବାରୁ ଏହାକୁ ନେଇ ବିତର୍କ ତୀବ୍ର ହୋଇଛି। ମେ’ ୩ ସୁଦ୍ଧା ଲାଉଡସ୍ପିକର ହଟାଇବା ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ କହିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମେ’ ୩ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ନହଟାଇଲେ ଆଜାନ ପରିବର୍ତ୍ତେ ହନୁମାନ ଚାଳିଶା ବଜାଇବୁ ବୋଲି କହିଥିଲେ ରାଜ ଠାକରେ। ଏବେ ରାଜ ଠାକରେଙ୍କ ଏଭଳି ବୟାନକୁ ବିରୋଧ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ।

Advertisment

ଏମଏନଏସ ଓ ବିଜେପି ଲାଉଡସ୍ପିକର ବାଣ୍ଟୁଥିବା ବିଷୟରେ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି ଯେ, ଠିକ ଅଛି, ଲାଉଡ ସ୍ପିକର ହଟାଇବା ପରିବର୍ତ୍ତେ ମୁଦ୍ରାସ୍ଫୀତି ବୃଦ୍ଧି ବିଷୟରେ କହିବା ପାଇଁ ଲାଉଡସ୍ପିକରକୁ ବ୍ୟବହାର କରିବା ଉଚିତ। ପେଟ୍ରୋଲ, ଡିଜେଲ, ସିଏନଜି ମୂଲ୍ୟ ବିଷୟରେ କହିବା ସହ ୬୦ବର୍ଷ ପୂର୍ବକୁ ନଯାଇ ଗତ ଦୁଇରୁ ତିନି ବର୍ଷ ମଧ୍ୟରେ କ’ଣ ଘଟିଛି ସେ ବିଷୟରେ ଆଲୋଚନା କରିବା ଉଚିତ୍।

କିଛି ଦିନ ତଳେ ଏମଏନଏସ ମୁଖ୍ୟ ରାଜ ଠାକରେ କହିଥିଲେ ଯେ, ମୁଁ ବର୍ତ୍ତମାନ ଚେତାବନୀ ଦେଉଛି ଲାଉଡସ୍ପିକରକୁ ହଟାନ୍ତୁ ନଚେତ୍ ମୁଁ ମସଜିଦ ସମ୍ମୁଖରେ ଲାଉଡସ୍ପିକର ରଖି ହନୁମାନ ଚାଳିଶା ବଜାଇବି। ଚେତାବନୀ ଦେବାର ଦିନକ ପରେ ଘାଟକୋପରରେ ଥିବା ଏମଏନଏସ କାର୍ଯ୍ୟାଳୟ ବାହାରେ ଦୁଇଟି ମାଇକ ଲଗାଇ ହନୁମାନ ଚାଳିଶା ବଜାଇଥିଲେ।