ପାଟନା: ବିହାରର ସିୱାନ ଜିଲ୍ଲାର ଜଣେ ମହିଳା ତାଙ୍କ ବିନା ଅନୁମତିରେ ଏକ ବିକ୍ଷୋଭରେ ତାଙ୍କ ନାମ ଓ ଫଟୋ ବ୍ୟବହାର କରାଯାଇଥିବାରୁ ବିରୋଧୀ ଇଣ୍ଡି-ମେଣ୍ଟ ତଥା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିର୍ବାଚନ ଆୟୋଗ (ଇସି) ଭୋଟର ତାଲିକାରେ ଭୁଲ୍ବଶତଃ ତାଙ୍କ ବୟସ ୧୨୪ ବର୍ଷ ରେକର୍ଡ କରିଥିବାରୁ ଆୟୋଗକୁ ଟାର୍ଗେଟ୍ କରିବା ପାଇଁ ମହିଳାଙ୍କ ନାମ ଓ ଫଟୋ ବ୍ୟବହାର କରାଯାଇଥିଲା।
ମଙ୍ଗଳବାର ବିରୋଧୀ ସାଂସଦମାନେ ତାଙ୍କ ନାମ ଥିବା ଟି-ସାର୍ଟ ପିନ୍ଧି ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭୋଟର ତାଲିକାରେ ଥିବା ତ୍ରୁଟିକୁ ଦର୍ଶାଇବା ପାଇଁ ‘୧୨୪ ନଟ୍ ଆଉଟ୍’ ସ୍ଲୋଗାନ ଦେଇଥିଲେ। ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମିନ୍ତା ଦେବୀ କହିଛନ୍ତି, ମୁଁ ୨-୪ ଦିନ ତଳେ ଏ ବିଷୟରେ ଜାଣିବାକୁ ପାଇଥିଲି। ମୁଁ ଏହା ସଂଶୋଧନ କରାଇବାକୁ ଚାହୁଥିଲି। କିନ୍ତୁ ମୋର ନାମ ଓ ଫଟୋ ବ୍ୟବହାର କରି ରାଜୀନତି କରିବାକୁ ସେମାନେ କିଏ? ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ମୋର ନାମ ଲେଖାଥିବା ଟି-ସାର୍ଟ ପିନ୍ଧିବାର ଅଧିକାର କିଏ ଦେଇଥିଲା? ସେମାନେ ମୋର ଅନୁମତି ନେଇଥିଲେ କି? ମୁଁ ଚାହୁଁଛି ମୋର ବିବରଣୀ ସଂଶୋଧନ କରାଯାଉ। ମୋ ଆଧାର କାର୍ଡରେ ୧୫-୦୭-୧୯୯୦କୁ ମୋ ଜନ୍ମ ତାରିଖ ବୋଲି ଉଲ୍ଲେଖ କରାଯାଇଛି ଏବଂ ଏହି ଆଧାରରେ ଭୋଟର୍ କାର୍ଡ ତ୍ରୁଟିରେ ମଧ୍ୟ ତୁରନ୍ତ ସଂଶୋଧନ କରିବାକୁ ମିନ୍ତା ଦାବି କରିଛନ୍ତି।