ନୂଆଦିଲ୍ଲୀ: ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗ ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍ପ୍ଲେ ପିକ୍ଚର୍’ କରନ୍ତୁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି।
‘ମନ୍ କି ବାତ୍’ ପ୍ରାରମ୍ଭରେ ଦେଶର ସ୍ବାଧୀନତା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିପ୍ଳବୀ ଉଦ୍ଦାମ୍ ସିଂହଙ୍କୁ (ଆଜି ତାଙ୍କର ୮୨ତମ ମୃତ୍ୟୁବାର୍ଷିକୀ) ସ୍ମରଣ କରିବା ସହ ସମସ୍ତ ବିପ୍ଳବୀ ଏବଂ ଦେଶ ପାଇଁ ଆତ୍ମବଳି ଦେଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
‘ସ୍ବାଧୀନତାର ଅମୃତ ମହୋତ୍ସବ’ ଗଣ ଆନ୍ଦୋଳନ ରୂପ ଧାରଣ କରୁଥିବା ଜାଣି ମୁଁ ଖୁବ୍ ଆନନ୍ଦିତ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଏବଂ ସମାଜର ସବୁ ବର୍ଗର ଲୋକେ ବିଭିନ୍ନ ସମାରୋହରେ ଅଂଶଗ୍ରହଣ କରୁଛନ୍ତି। ଅଳ୍ପ କିଛି ସପ୍ତାହ ତଳେ କର୍ଣ୍ଣାଟକରେ ‘ଅମୃତା ଭାରତୀ କନ୍ନଡ଼ର୍ତି’ ନାମରେ ଗୋଟାଏ ଅଭିନବ ଅଭିଯାନର ଶୁଭାରମ୍ଭ ହୋଇଥିଲା। ‘ସ୍ବାଧୀନତାର ଅମୃତ ମହୋତ୍ସବ’ ସହିତ ଜଡ଼ିତ ଏହି ଭବ୍ୟ କାର୍ଯ୍ୟକ୍ରମ ରାଜ୍ୟର ୭୫ଟି ପ୍ରାନ୍ତରେ ଆୟୋଜିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ସ୍ବାଧୀନତାର ଅମୃତ ମହୋତ୍ସବ’ରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ହେଉଛି ଗୋଟାଏ ବିଶେଷ ସମୟ। ଏହି ତିନି ଦିନ ‘ହର୍ ଘର୍ ତ୍ରିରଙ୍ଗା’ ଆୟୋଜନ କରାଯିବ। ଚାଲନ୍ତୁ, ଘରେ ଜାତୀୟ ପତାକା ଉତ୍ତୋଳନ କରି ଏହି ଆନ୍ଦୋଳନକୁ ଆହୁରି ଆଗେଇ ନେବା।
Image Courtesy of ABP Liveଏହି ଅବସରରେ ଦେଶର ୨୪ଟି ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରାୟ ୭୫ଟି ରେଳ ଷ୍ଟେସନ୍ରେ ବର୍ଣ୍ଣାଢ଼୍ୟ ସାଜସଜା ହେବ। ସେଠରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଏହି ୭୫ଟି ଷ୍ଟେସନ୍କୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀମାନଙ୍କ ନାମାନୁସାରେ ନାମିତ କରାଯାଇଛି। ଆପଣମାନଙ୍କ ଅଞ୍ଚଳରେ ଥିବା ଏଭଳି କୌଣସି ଐତିହାସିକ ଷ୍ଟେସନ୍କୁ ବୁଲିଯିବା ପାଇଁ ସମୟ ବାହାର କରିବେ।
ତ୍ରିରଙ୍ଗା ସହିତ ଅଗଷ୍ଟ ୨ର ବିଶେଷ ସଂଯୋଗ ରହିଛି। ସେଦିନ ଆମ ଜାତୀୟ ପତାକାର ଡିଜାଇନ୍ କରିଥିବା ପିଙ୍ଗଳି ଭେଙ୍କୟାଜୀଙ୍କ ଜୟନ୍ତୀ। ତ୍ରିରଙ୍ଗାକୁ ରୂପ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମହାନ୍ ବିପ୍ଳବିନୀ ମାଡାମ୍ କାମାଙ୍କୁ ମଧ୍ୟ ମୁଁ ସ୍ମରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
କୋଭିଡ୍ ବିରୋଧରେ ଆମ ଦେଶବାସୀଙ୍କ ସଂଗ୍ରାମ ଜାରି ରହିଛି। ସମଗ୍ର ବିଶ୍ବ ମଧ୍ୟ ସଂଗ୍ରାମ କରୁଛନ୍ତି। ପାରମ୍ପରିକ ସ୍ବାସ୍ଥ୍ୟ ସେବା ପ୍ରତି ମଧ୍ୟ ଜନସାଧାରଣଙ୍କ ଆଗ୍ରହ ବଢୁଛି। ଏଥିପାଇଁ ଆୟୁର୍ବେଦ ଏବଂ ଭାରତୀୟ ଔଷଧ ପ୍ରତି ସମଗ୍ର ବିଶ୍ବରେ ଆଗ୍ରହ ବୃଦ୍ଧି ପାଉଛି। ସେହି କାରଣରୁ ‘ଆୟୁଷ’ ରପ୍ତାନି ରେକର୍ଡ ପରିମାଣରେ ବୃଦ୍ଧି ପାଇଛି।
ଖେଳନା ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଣୀ ହୋଇଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଆନନ୍ଦର ବିଷୟ ଭାରତ ବିଦେଶକୁ ୨୬୦୦୦ କୋଟି ଟଙ୍କାର ଖେଳନା ରପ୍ତାନି କରିଛି। ପୂର୍ବରୁ ମାତ୍ର ୩୦୦ରୁ ୪୦୦ କୋଟି ଟଙ୍କାର ଖେଳନା ବିଦେଶକୁ ଯାଉଥିଲା।
ଦେଶର ବିଭିନ୍ନ ପ୍ରାନ୍ତରେ ଲାଗୁଥିବା ମେଳା ଦେଖିଯିବା ପାଇଁ ମୋଦୀ ଜନସାଧାରଣଙ୍କ ଅନୁରୋଧ କରିବା ସହ ଅନ୍ୟମାନଙ୍କ ଦୃଷ୍ଟିଗୋଚର ହେବା ପାଇଁ ସେ ସ୍ଥାନ ସବୁକୁ ‘ହାସ୍ଟ୍ୟାଗ୍ସ୍’ରେ ବ୍ୟବହାର କରିବାକୁ କହିଛନ୍ତି।
ଇଂଲଣ୍ଡ୍ର ବର୍ମିଙ୍ଗ୍ହାମ୍ରେ ଚାଲିଥିବା ‘କମନ୍ୱେଲ୍ଥ୍ ଗେମ୍’ରେ ଅଂଶ ଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପଦକ ବିଜୟୀ ପି.ଭି. ସିଦ୍ଧୁ ଏବଂ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/pmm-1.jpg)