ଷ୍ଟେସନରେ ଶୌଚାଳୟ ବ୍ୟବହାର କରିବା ପଡ଼ିଲା ମହଙ୍ଗା, ୧୨ ପ୍ରତିଶତ ଜିଏସଟି ସହ ୨୨୪ ଟଙ୍କା ଗଣିଲେ ଯାତ୍ରୀ

ଆଗ୍ରା: ରେଳଷ୍ଟେସନ କିମ୍ବା ବସ୍ ଷ୍ଟାଣ୍ଡରେ ଥିବା ଶୌଚାଳୟକୁ ବ୍ୟବହାର ପାଇଁ ସାଧାରଣ ଭାବେ ୫ ରୁ ୧୦ ଟଙ୍କା ଦେବାକୁ ପଡ଼ିଥାଏ । ହେଲେ ଶୌଚାଳୟ ବ୍ୟବହାର କରି ୧୨ ପ୍ରତିଶତ ଜିଏସଟି ସହ ଦୁଇ ଜଣ ଯାତ୍ରୀ  ୨୨୪ ଟଙ୍କା ଦେଇଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ଭିଆଇପିଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଶୌଚାଳୟକୁ କିଛି ସମୟ ବ୍ୟବହାର କରି ମୁଣ୍ଡପିଛା ୧୧୨ଲେଖାଏଁ ୨୨୪ ଟଙ୍କା ଦେବାକୁ ପଡ଼ିଛି ନୂଆଦିଲ୍ଲୀସ୍ଥିତ ବ୍ରିଟିଶ ଦୂତାବାସରୁ ଆସିଥିବା ଦୁଇ ପର୍ଯ୍ୟଟକଙ୍କୁ । ଯେଉଁଥିରେ ୬ପ୍ରତିଶତ ଜିଏସଟି ଏବଂ ୬ ପ୍ରତିଶତ ସିଜିଏସଟି ରହିଛି । ଏହାର ଅର୍ଥ ଶୌଚାଳୟକୁ ଯିବା ପାଇଁ ୧୨ପ୍ରତିଶତ ଜିଏସଟି ଆଦାୟ କରାଯାଇଛି । ଏହା ଏ ପର୍ଯ୍ୟନ୍ତ ପ୍ରଥମ ମାମଲା, ଯେଉଁଥିରେ ଶୌଚାଳୟକୁ ଯିବା ମହଙ୍ଗା ପଡ଼ିଛି । ମହଙ୍ଗା ଦେଖି ପର୍ଯ୍ୟଟକମାନେ ଯେତେବେଳେ ଲାଉଞ୍ଜ ମ୍ୟାନେଜରଙ୍କ ନିକଟରେ ପହଞ୍ଚିଲେ ସେତେବେଳେ ସେ କହିଥିଲେ ଯେ ଏଥିରେ ଆଇଆରସିଟିସିର କୌଣସି ଦୋଷ ନାହିଁ । ଏକଜିକ୍ୟୁଟିଭ୍ ଲାଉଞ୍ଜରେ ରହିବା ପାଇଁ ୫୦ ପ୍ରତିଶତ ରିହାତି ପରେ ସର୍ବନିମ୍ନ ୧୧୨ ଟଙ୍କା ଦେୟ ବାଧ୍ୟତାମୂଳକ ଅଟେ । ଟଙ୍କା ଦେବା ପରେ କଫି ଦିଆଯାଇଥାଏ । ଆହୁରି ଏଥିରେ ମାଗଣା ୱାଇଫାଇ ବ୍ୟବହାର କରିପାରିବେ ।

ଏହା ଆଇଆରସିଟିସି ପାଇଁ କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ଭୋପାଳ ଶତାବ୍ଦୀ ଏକ୍ସପ୍ରେସରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ଟଙ୍କା ଚା’ କପରେ ୫୦ ଟଙ୍କା ଶୁଳ୍କ ନିଆଯାଇଥିଲା। ଫଳରେ ଯାତ୍ରୀଙ୍କୁ ଏକ କପ୍ ଚା ପାଇଁ ୭୦ ଟଙ୍କା ଦେବାକୁ ପଡିଥିଲା । ରେଳବାଇର ଏହି ‘ହାଇ-ଫାଇ’ ସେବାର ଏକ ପ୍ରମାଣ ଭାବରେ ବ୍ୟକ୍ତି ଜଣକ ସେହି ଚା ବିଲ୍ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାର ସ୍ପଷ୍ଟୀକରଣ ରେଳବାଇକୁ ଦେବାକୁ ପଡ଼ିବ ।

ସମ୍ବନ୍ଧିତ ଖବର