ଭାରତ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ମେଣ୍ଟ ଆମ ପାଇଁ ବିପଦ : ପାକିସ୍ତାନ

ଇସ୍ଲାମାବାଦ : ଭାରତ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏକ ଭୟଙ୍କର ମେଣ୍ଟ ଗଢିଉଠିଛି । ଏହା କେବଳ ପାକିସ୍ତାନ ନୁହେଁ ସମଗ୍ର ଇସ୍ଲାମିକ୍‌ ଜଗତ ପ୍ରତି ବିପଦ ବୋଲି କହିଛନ୍ତି ପାକିସ୍ତାନ ସିନେଟ୍‌ର ସଭାପତି ରାଜା ରବାନୀ । ତେହେରାନଠାରେ ଅନୁଷ୍ଠିତ ପାର୍ଲାମେଣ୍ଟାରୀ ୟୁନିଅନ ଅଫ ଇସ୍ଲାମିକ କଣ୍ଟ୍ରିଜ୍‌ (ପିୟୁଆଇସି)ର ସମ୍ମିଳନୀରେ ଉଦବୋଧନ ଦେଇ ସେ ଏକଥା କହିଛନ୍ତି ।

ସେ କହିଛନ୍ତି ଯେ ବିଶ୍ୱ ରାଜନୀତିରେ ଏବେ ଏକ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତିତ ବିଶ୍ୱରେ ଭାରତ, ଆମେରିକା ଓ ଇସ୍ରାଏଲ ଏକାଠି ହୋଇ ଏକ ମେଣ୍ଟ ଗଠନ କରିଛନ୍ତି । ଏହା ସମଗ୍ର ଇସ୍ଲାମିକ୍‌ ଜଗତ ପାଇଁ ଏକ ବିପଦର ଘଣ୍ଟି । ଆଜି ପାକିସ୍ତାନକୁ ଏମାନେ ଟାର୍ଗେଟ୍‌ କରିଛନ୍ତି, କାଲି ଇରାନ, ଭବିଷ୍ୟତରେ ଅନ୍ୟ କୌଣସି ଦେଶ । ଏଣୁ ଇସ୍ଲାମିକ୍‌ ଦେଶମାନେ ଏକାଠି ହେବା ଆବଶ୍ୟକ ।

ସେ କହିଛନ୍ତି ଯେ ଆମେରିକା ସମଗ୍ର ଉପସାଗରୀୟ ଅଂଚଳରେ ଶାନ୍ତି ଓ ସ୍ଥିରତାକୁ ନଷ୍ଟ କରିବାକୁ ଚାହୁଁଛି । ଅନ୍ତର୍ଜାତୀୟ ଆଇନ କାନୁନକୁ ନମାନି ମନଇଚ୍ଛା ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଘୋଷଣା କରିଛି । ଏହା ଫଳରେ ସମଗ୍ର ବିଶ୍ୱରେ ଜୋରଯାର ମୁଲକ ତାର ନୀତି ପ୍ରୟୋଗ କରୁଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଚାମିନ ନେତାନ୍ୟାହୁଙ୍କ ଭାରତ ଗସ୍ତକାଳରେ ପାକିସ୍ତାନର ଏହି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି । ଭାରତ ଓ ଇସ୍ରାଏଲ ମଧ୍ୟରେ ବଢିଚାଲିଥିବା ସାମରିକ ସହଯୋଗକୁ ନେଇ କେବଳ ପାକିସ୍ତାନ ନୁହେଁ ଚୀନ ମଧ୍ୟ ଚିନ୍ତିତ ରହିଛି ।

ସମ୍ବନ୍ଧିତ ଖବର