ବ୍ରୁସେଲସ: ଦିନକୁ ଦିନ ଇନ୍ଧନ ଦ୍ୱାରା ଚାଲୁଥିବା ଗାଡି ସଂଖ୍ୟା ବଢୁଥିବାବେଳେ ଏହା ସହ ପ୍ରଦୂଷଣ ମଧ୍ୟ ବଢୁଛି | ଆଉ ଏହି ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଆପଣ ଜାଣିଛନ୍ତି କି ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ କିଛି ସୁଚିନ୍ତିତ ରଣନୀତି ମାଧ୍ୟମରେ ପ୍ରଦୂଷଣକୁ କମ କରିପାରିଛନ୍ତି | ଏହି ଦେଶରେ ଏମିତି କିଛି ପ୍ରୋତ୍ସାହନ ଏହାର ଜନସାଧାରଣଙ୍କୁ ଦିଆଯାଉଛି ଯାହାଦ୍ୱାରା ପ୍ରଦୂଷଣକୁ ମାତ ଦିଆଯାଇପାରୁଛି | ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବାବଦରେ କହିବୁ |

Advertisment

ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ପାଇଁ ସାଇକେଲ ଚଳାଇବାକୁ କେତେକ ୟୁରୋପୀୟ ଦେଶ ଏହାର ଜନସାଧାରଣଙ୍କୁ ପ୍ରୋତ୍ସାହିତ କରୁଛନ୍ତି | ଯଥାସମ୍ଭବ କାର୍ କିମ୍ବା ବାଇକ୍ ବଦଳରେ ସାଇକେଲ ବ୍ୟବହାର କରିବାକୁ ଏହି ଦେଶମାନେ ଟିକସ ହ୍ରାସ ସହ ଆର୍ଥିକ ସହାୟତା ଭଳି ସୁବିଧା ଯୋଗାଇଆସୁଛନ୍ତି | ୟୁରୋପୀୟ ଦେଶ ବେଲଜିୟମରେ ଲୋକମାନେ ସାଇକେଲ ଯୋଗେ ଅଫିସକୁ ଗଲେ ଟଙ୍କା ପାଇଥାନ୍ତି | ସେହିପରି ନେଦରଲ୍ୟାଣ୍ଡରେ ମଧ୍ୟ ଯେଉଁମାନେ ସାଇକେଲ ଯୋଗେ ଅଫିସକୁ ଯାଆନ୍ତି ସେମାନେ ବାର୍ଷିକ ଟଙ୍କା ପାଆନ୍ତି। ନେଦରଲ୍ୟାଣ୍ଡରେ, ଯଦି ଆପଣ ଦୈନିକ ସାଇକେଲ ମାଧ୍ୟମରେ ୧୦ କିଲୋମିଟର ଯିବେ, ତେବେ ଆପଣଙ୍କୁ ଗୋଟିଏ ବର୍ଷରେ ୪୮୦ ୟୁରୋ ଅର୍ଥାତ୍ ସରକାରଙ୍କ ତରଫରୁ ପ୍ରାୟ ୪୧ ହଜାର ୯୧୬ ଟଙ୍କା ଦିଆଯାଇଥାଏ |

ଏପରିକି ଇଟାଲୀରେ ଯେଉଁମାନେ ସାଇକେଲ ଯୋଗେ ଅଫିସକୁ ଯାଆନ୍ତି ସେମାନେ ମାସକୁ ପ୍ରାୟ ୨୫ ୟୁରୋ ପାଆନ୍ତି | ବ୍ରିଟେନରେ, ସାଇକେଲ-ଟୁ-ଅଫିସ୍ ଯୋଜନାରେ କମ୍ପାନୀଗୁଡିକ କର୍ମଚାରୀଙ୍କ ପାଇଁ ସାଇକେଲ କ୍ରୟ କରନ୍ତି ଏବଂ ଏହାର ପ୍ରତିବଦଳରେ କର୍ମଚାରୀମାନଙ୍କୁ ମାସିକ ଦେୟ ଦେବାକୁ ପଡିଥାଏ | ଯେଉଁଥିରେ ସେମାନେ ଟିକସ ଛାଡ ମଧ୍ୟ ପାଇଥା’ନ୍ତି | ଏହି ଛାଡ ମାଧ୍ୟମରେ ସେମାନେ ପ୍ରାୟ ୩୨% ଟିକସର ଟଙ୍କା ସଞ୍ଚୟ କରନ୍ତି | ଯେତେବେଳେ କି, ଲକ୍ସମବର୍ଗ ପରି ଦେଶରେ, ଯଦି ଆପଣ ସାଇକେଲ କିମ୍ବା ଇ-ବାଇକ୍ କିଣୁଛନ୍ତି ଏବଂ ତେବେ ଆପଣ ୫୦% ରିହାତି ପାଇପାରିବେ |