ସୋମବାରଠାରୁ ମିସାଇଲ ଟ୍ରାକିଂ ଡ୍ରିଲ୍‌ କରିବେ ଆମେରିକା,ଜାପାନ ଓ ଦ.କୋରିଆ

ଉତ୍ତର କୋରିଆ ପଟୁ କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କା

ଟୋକିଓ: ପୂର୍ବ ଏସିଆରେ ଉତ୍ତର କୋରିଆର ଉତ୍ପାତ ବଢିଚାଲିଥିବାବେଳେ ଜାପାନ, ଦକ୍ଷିଣ କୋରିଆ ଓ ଆମେରିକାର ଚିନ୍ତା ବଢିଯାଇଛି । ଆମେରିକାର ଧମକ ଓ ଅନ୍ତର୍ଜାତୀୟ ଚାପକୁ ଭୂକ୍ଷେପ ନକରି ଉତ୍ତର କୋରିଆ ବାରମ୍ବାର ଜାପାନ ଓ ଦକ୍ଷିଣ କୋରିଆ ଉପରେ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବା ବେଳେ ମଝିରେ ମଝିରେ ଆଣବିକ ପରୀକ୍ଷଣ ମଧ୍ୟ କରୁଛି ।

ଏହାକୁ ଦୃଷ୍ଟିରେ ରଖି ଆମେରିକା ଓ ତାହାର ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆ ସୋମବାରଠାରୁ ଏକ ମିସାଇଲ ଟ୍ରାକିଂ ଡ୍ରିଲ୍‌ ( କ୍ଷେପଣାସ୍ତ୍ର ଠାବ ଯୁଦ୍ଧାଭ୍ୟାସ) ଆରମ୍ଭ କରିବେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଡ୍ରିଲ୍‌ରେ ଉତ୍ତର କୋରିଆ ଆଡୁ ଆସୁଥିବା କ୍ଷେପଣାସ୍ତ୍ରଗୁଡିକୁ କିପରି ଠାବ କରି ଧ୍ୱଂସ କରାଯାଇପାରିବ ସେ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରାଯିବ । ତେବେ ଏଥିରେ ଆମେରିକାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସୀ ଥାଡ୍‌ ସିଷ୍ଟମ ( ଟର୍ମିନାଲ ହାଇ ଆଲଟିଚ୍ୟୁଡ୍‌ ଏରିଆ ଡିଫେନ୍ସ ସିଷ୍ଟମ) ବ୍ୟବହାର କରିବ କି ନା ତାହା ଜଣାପଡିନାହିଁ । ଦକ୍ଷିଣ କୋରିଆରେ ଏବେ ଏହି ଥାଡ୍‌ ସିଷ୍ଟମ ମୃତୟନ ହୋଇଛି । ଏହା ଆସୁଥିବା ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବ । ତେବେ ଏହାକୁ ଚୀନ ବିରୋଧ କରୁଛି । କାରଣ ଏଥିରେ ଲାଗିଥିବା ଉଚ୍ଚ କ୍ଷମତା ସଂପନ୍ନ ରାଡାର୍‌ ଚୀନର ଆଭ୍ୟନ୍ତରୀଣ ଅଞ୍ଚଳ ଉପରେ ନଜର ପକାଇପାରିବ ।

ଉତ୍ତର କୋରିଆର ବାରମ୍ବାର କ୍ଷେଣପଣାସ୍ତ୍ର ପରୀକ୍ଷା ପରେ ଗତ ସପ୍ତାହରେ ଆମେରିକା ଧମକ ଦେଇଥିଲା ଯେ ଯଦି ଯୁଦ୍ଧ ହୁଏ ତେବେ ଉତ୍ତର କୋରିଆର ସମୁଦାୟ ନେତୃବୃନ୍ଦଙ୍କୁ ଧ୍ୱଂସ କରିଦିଆଯିବ । ଏହା ପରେ ଆମେରିକା କୋରିଆ ଉପଦ୍ୱୀପ ଅଞ୍ଚଳରେ ନିଜର ସାମରିକ ଉପସ୍ଥିତିକୁ ବଢାଇବା ସହ ଅତ୍ୟାଧୁନିକ ଓ ଅତି ଶକ୍ତିଶାଳୀ ବି-୨ ବୋମାବର୍ଷୀ ବିମାନ ଉଡାଇଛି ।

ସମ୍ବନ୍ଧିତ ଖବର