କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା : ବ୍ରିଟିଶ ଯୁଦ୍ଧ ଜାହାଜକୁ ଘେରିଲେ ଋଷୀୟ ଲଢୁଆ ବିମାନ, ଯୁଦ୍ଧ ଜାହାଜ

ମସ୍କୋ :  କୃଷ୍ଣ ସାଗର ଅଞ୍ଚଳରେ ଋଷିଆ ଓ ନ୍ୟାଟୋ ମଧ୍ୟରେ ଉତ୍ତେଜନା ହଠାତ ବଢିଯାଇଛି । ଆଜି ନ୍ୟାଟୋ ସଦସ୍ୟ ଦେଶ ତଥା ଆମେରିକାର ସହଯୋଗୀ ବ୍ରିଟେନର ଏକ ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ପ୍ରବେଶ କରି ଋଷିଆର ଜଳସୀମା ଉଲ୍ଲଙ୍ଘନ କରିବା ପରେ ଋଷିଆ ଯୁଦ୍ଧ ବିମାନରୁ ବୋମା ପକାଇ ବ୍ରିଟେନକୁ ସତର୍କ କରାଇଦେଇଛି । ଏହା ସହିତ ଋଷିଆର ଏକ ଯୁଦ୍ଧ ଜାହାଜ ସତର୍କତାମୂଳକ ଗୁଳି ଚଳାଇ ବ୍ରିଟିସ ଯୁଦ୍ଧଜାହାଜକୁ ଧମକ ଦେଇଛି । ଏହା ସହିତ କୃଷ୍ଣ ସାଗର ଓ କ୍ରିମିଆ ଅଂଚଳରେ ନ୍ୟାଟୋ ନିଜର ମିଲିଟାରୀ ମିଶନ ବନ୍ଦ କରୁ ବୋଲି ଋଷିଆ ଧମକ ଦେଇଛି ।

ଋଷୀୟ ସମ୍ବାଦ ସରବରାହ ସଂସ୍ଥା ଟାସ୍ ଏବଂ କେତେକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥାଙ୍କ ରିପୋର୍ଟ ମୁତାବକ ଆଜି ରୟାଲ ବ୍ରିଟିଶ ନେଭିର ଯୁଦ୍ଧ ଜାହାଜ ଏଚଏମଏସ ଡିଫେଣ୍ଡର କୃଷ୍ଣ ସାଗରରେ ପ୍ରବେଶ କରି ଋଷୀୟ ଜଳସୀମାର ନିକଟବର୍ତ୍ତୀ ହୋଇଥିଲା । ଏହା ପରେ ଋଷିଆର ନୌସେନାପକ୍ଷରୁ ସତର୍କତାଣୂଳକ ଫାୟାର କରାଯାଇ ବ୍ରିଟିଶ ଜାହାଜକୁ ଚେତାବନୀ ଦିଆଯାଇଥିଲା । ଏହା ପରେ ଋଷିଆର ଏସୟୁ୨୪ ଏମ ଲଢୁଆ ବିମାନ ମଧ୍ୟ ବୋମା ପକାଇ ସତର୍କ କରାଇଥିଲା । ଏହା ପରେ ଋଷିଆ ପକ୍ଷରୁ ମସ୍କୋରେ ଥିବା ବ୍ରିଟିଶ ପ୍ରତିରକ୍ଷା ପ୍ରତିନିଧିଙ୍କୁ ଡକାଇ ଏ ନେଇ ପ୍ରତିବାଦ କରାଯାଇଛି । ତେବେ ବ୍ରିଟେନ ପକ୍ଷରୁ କୁହାଯାଇଛି ଯେ ଏହାର ଯୁଦ୍ଧ ଜାହାଜ ଅନ୍ତର୍ଜାତୀୟ କାନୁନ ଅନୁସାରେ ଅନ୍ତର୍ଜାତୀୟ ଜଳସୀମାରେ ହିଁ ଥିଲା ।

 

ସମ୍ବନ୍ଧିତ ଖବର