ଦରଦାମ ନିୟନ୍ତ୍ରଣ କଲେ ମୁଁ ତେଲ ଏବଂ ଗ୍ୟାସ୍ ଯୋଗାଣ ବନ୍ଦ କରିଦେବି: ଜି୭କୁ ପୁଟିନଙ୍କ ଚେତାବନୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରିଥିବା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ତୈଳର ମୂଲ୍ୟ ହ୍ରାସ କରିବାକୁ ପ୍ରସ୍ତୁତ ହେଉଥିବା ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ମୂଲ୍ୟ ହ୍ରାସ ଯୋଜନାରେ ଅଂଶଗ୍ରହଣ କରୁଥିବା ଦେଶମାନଙ୍କୁ ଋଷରୁ ତୈଳ ଓ ଗ୍ୟାସ ଯୋଗାଣ ବନ୍ଦ କରାଯିବ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଭଳି କରିବା ସମ୍ପୂର୍ଣ୍ଣ ମୂର୍ଖାମୀ ହେବ।

ପୁଟିନ ଭ୍ଲାଦିଭୋସ୍ତୋକରେ ଥିବା ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମକୁ କହିଛନ୍ତି ଯେ କେତେକ ପାଶ୍ଚାତ୍ୟ ଦେଶ ତୈଳର ମୂଲ୍ୟ ହ୍ରାସ କରିବାକୁ ବିଚାର କରୁଛନ୍ତି। ଏଭଳି କରିବା ସମ୍ପୂର୍ଣ୍ଣ ମୂର୍ଖାମୀ ହେବ। ଯଦି ଏହା ଆମର ସ୍ୱାର୍ଥ ବିରୁଦ୍ଧ‌ ହେବ, ତେବେ ଆମର ଅର୍ଥନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ତୈଳ ଓ ଗ୍ୟାସ ଯୋଗାଣ ବନ୍ଦ କରିବୁ।

ଏହା ପୂର୍ବରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆ ବିଦେଶ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପୁଟିନଙ୍କ ଦ୍ବାରା ସୋମବାର ଅନୁମୋଦିତ ଏହି ନୀତି ଅନୁଯାୟୀ ରୁଷ୍ ଚାହେ ଚୀନ୍ ଓ ଭାରତ ସହ ସହଯୋଗ ବୃଦ୍ଧି। ୟୁକ୍ରେନ୍ ସହ ଯୁଦ୍ଧ ହେବାର ଇତିମଧ୍ୟରେ ଛଅମାସ ବିତିଯାଇଥିବା ବେଳେ ରୁଷ୍‌ର ଏହି ୩୧ ପୃଷ୍ଠାର ‘ହ୍ୟୁମ୍ୟାନିଟାରିଆନ ପଲିସି’ ଅନୁସାରେ ‘ରୁଷୀୟ ବିଶ୍ବ’ର ପରମ୍ପରା ଓ ଚିନ୍ତାଧାରାକୁ ସୁରକ୍ଷା ଦେବା ଓ ଏହାକୁ ଆଗକୁ ବଢ଼ାଇବା ପାଇଁ ଦେଶ କାମ କରିବ। ନୀତି ଅନୁଯାୟୀ, ରୁଷ୍ ଦେଶର ଯେଉଁ ଲୋକମାନେ ବିଦେଶରେ ବାସ କରୁଛନ୍ତି, ସେମାନଙ୍କ ସ୍ବାର୍ଥ ଓ ରୁଷୀୟ ସାଂସ୍କୃତିକ ଐକ୍ୟର ସୁରକ୍ଷା ପାଇଁ ଦେଶ କାମ କରିବ। ଏହାଦ୍ବାରା ସେମାନେ ଅନ୍ତର୍ଜାତୀୟ ମଞ୍ଚରେ ରୁଷ୍‌ର ଗଣତାନ୍ତ୍ରିକ ଭାବମୂର୍ତ୍ତିକୁ ଆହୁରି ବଳିଷ୍ଠ କରିବେ।

ସମ୍ବନ୍ଧିତ ଖବର