ଉତ୍ତର କୋରିଆର ଧମକ: ପରମାଣୁ ଯୁଦ୍ଧ ପାଇଁ ଆମେରିକା ଦାୟୀ ରହିବ

ବିଭିନ୍ନ ରାଷ୍ଟ୍ରକୁ ସ୍ଥିତି ଅବଗତ କରାଇଲା ଉତ୍ତର କୋରିଆ

ପୋଙ୍ଗୟାଙ୍ଗ: ଆମେରିକା ପରମାଣୁ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ଏବଂ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧ ଆରମ୍ଭ ହେବା ସମ୍ଭାବନା ଥିବାରୁ ଏଥିପାଇଁ ଆମେରିକା ହିଁ ଦାୟୀ ରହିବ ବୋଲି ବିଭିନ୍ନ ରାଷ୍ଟ୍ରକୁ ପତ୍ର ମାଧ୍ୟମରେ ଉତ୍ତର କୋରିଆ ଜଣାଇ ଦେଇଛି। ଅଷ୍ଟ୍ରେଲିୟା ବିଦେଶ ମନ୍ତ୍ରାଳୟ ଉତ୍ତର କୋରିଆର ଏଭଳି ପତ୍ର ମିଳିଥିବା ସ୍ୱୀକାର କରିଛି। ଇଣ୍ଡୋନେସିଆରେ ଅବସ୍ଥାପିତ ଉତ୍ତର କୋରିଆର ଦୂତାବାସ ପକ୍ଷରୁ ବିଭିନ୍ନ ରାଷ୍ଟ୍ରକୁ ଏଭଳି ପତ୍ର ପଠାଯାଇଥିବାରୁ ପରମାଣୁ ଯୁଦ୍ଧ ପାଇଁ ଏହାକୁ ଉତ୍ତର କୋରିଆର ସିଧାସଳଖ ଧମକ ଭାବେ ଗ୍ରହଣ କରାଯାଇଛି। ପରମାଣୁ ଯୁଦ୍ଧ ପାଇଁ ଉତ୍ତର କୋରିଆ ୩ ମାସ ତଳୁ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଥିବା ବେଳେ ଏବେ ଏହା ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଏ ବାବଦରେ ଗୁଇନ୍ଦା ଏବଂ ସ୍ୟାଟେଲାଇଟ୍‌ ତଥ୍ୟ ଆଧାରରେ ଆମେରିକା ମଧ୍ୟ ନିଜର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦକ୍ଷିଣ କୋରିଆ ଏବଂ ଜାପାନ ପ୍ରତି ଭୟଙ୍କର ବିପଦ ଥିବାରୁ ଦୁଇ ରାଷ୍ଟ୍ର ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି। ଉତ୍ତର କୋରିଆର ଯେ କୌଣସି କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା ମୁତୟନ କରାଯାଇଛି ।

ଉତ୍ତର କୋରିଆ ପକ୍ଷରୁ ପଠାଯାଇଥିବା ପତ୍ରରେ କୁହାଯାଇଛି ଯେ ଆମେରିକା ପ୍ରରୋଚନାରେ କୋରିଆ ଉପଦ୍ୱୀପରେ ଯୁଦ୍ଧର ବାତାବରଣ ସୃଷ୍ଟି କରାଯାଉଛି । ଉତ୍ତର କୋରିଆକୁ ତଳିତଳାନ୍ତ କରିବା ପାଇଁ ଆମେରିକାର ଦୀର୍ଘକାଳୀନ ଯୋଜନାର ଏହା ଅଂଶବିଶେଷ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ। ଆମେରିକାର ମୁକାବିଲା ପାଇଁ ଉତ୍ତର କୋରିଆ ତା’ର କ୍ଷେପଣାସ୍ତ୍ର ତୟାର ରଖିଛି ବୋଲି ଜଣାଇଦେଇଛି। ଆତ୍ମସୁରକ୍ଷା ପାଇଁ ଉତ୍ତର କୋରିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପଛାଇବ ନାହିଁ ବୋଲି ଦୂତାବାସ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି। ଆମେରିକା-ଜାପାନ-ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ କେବଳ ଉତ୍ତର କୋରିଆକୁ ଭୟଭୀତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ପରମାଣୁ ଅସ୍ତ୍ର ବହନକ୍ଷମ ଅନ୍ତର୍ଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଉତ୍ତର କୋରିଆ ପାଖରେ ରହିଥିବାରୁ ଯୁଦ୍ଧ ଆରମ୍ଭ ହେଲେ ଏହି ଅବାଧ୍ୟ ରାଷ୍ଟ୍ରର ଆଭିମୁଖ୍ୟ କ’ଣ ହେବ ସେ ନେଇ ବିଶ୍ୱନେତାମାନେ ଚିନ୍ତିତ ଅଛନ୍ତି। ଉତ୍ତର କୋରିଆ ବିଭିନ୍ନ ଶ୍ରେଣୀର ପରମାଣୁ ବୋମା, ଉଦ୍‌ଜାନ ବୋମା ସାଙ୍ଗକୁ ଅନ୍ତର୍ଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମଧ୍ୟ ହାସଲ କରିବାରେ ସକ୍ଷମ ହୋଇଛି ।

ସମ୍ବନ୍ଧିତ ଖବର