ଉତ୍ତରକାଶୀ-ଚୀନ୍‌ ସୀମା ସଂଯୋଗକାରୀ ବ୍ରିଜ୍‌ ଭୁସୁଡ଼ିଲା

ଡ଼େରାଡ଼ୁନ୍‌: ଗୁରୁବାର ଉତ୍ତରକାଶୀ ଓ ଚୀନ୍‌ ସୀମାକୁ ସଂଯୋଗ କରୁଥିବା ଏକମମାତ୍ର ପୋଲ ଭୁସୁଡ଼ିପଡ଼ିବା ଫଳରେ ଉଭୟ ପଟର ପ୍ରାୟ ୩୦ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଡୋକ୍‌ଲାମ ବିବାଦ ପରଠାରୁ ଚୀନ୍‌ ଭାରତର ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଚୀନ୍‌ ସୀମାର ସୁରକ୍ଷା ପୋଷ୍ଟ ଗୁଡ଼ିକ ସହ ଗମନାଗମନ ବନ୍ଦ ହୋଇଯିବା ଚିନ୍ତାର ବିଷୟ ସୃଷ୍ଟି କରିଛି। ଯଦିଓ ଏହି ପୋଲ ଭୁସୁଡ଼ିବା ଫଳରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ତଥାପି ପୋଲର ଉଭୟ ପାର୍ଶ୍ୱରେ ଶହଶହ ଯାନ ଅଟକି ରହିଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ନିତିଦିନ ଏହି ପୋଲକୁ ବ୍ୟବହାର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ଖବର ମୁତବାକ ପୋଲ ଉପରେ ଏକ ସମୟରେ ଦୁଇଟି ଟ୍ରକ୍‌ ଆସିବାରୁ ପୋଲଟି ଭୁସୁଡ଼ିପଡ଼ିଥିଲା। ପୋଲର ସୁରକ୍ଷା ପାଇଁ ଏହି ସ୍ଥାନରେ କୌଣସି ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ନଥିଲେ। ଏକ ସମୟରେ ଦୁଇଟି ଭାରୀଯାନ ବ୍ରିଜ୍‌ ଉପରେ ଚଳାଚଳ ପାଇଁ ନିୟମ ନଥିବା ବେଳେ ଟ୍ରକ୍‌ ଗୁଡ଼ିକ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। କିନ୍ତୁ ସବୁଠୁ ବଡ଼ ବିଷୟ ଏହିକି ଯେ, ଗଙ୍ଗୋତ୍ରୀ ନଦୀ ଉପରେ ଥିବା ଏହି ପୋଲ କୌଣସି ସ୍ଥାୟୀ ପୋଲ ନୁହେଁ। ୨୦୧୨-୧୩ ମସିହାରେ ଏଠାରେ ଥିବା ସ୍ଥାୟୀ ପୋଲ ଭୁସୁଡ଼ିଯିବା ଫଳରେ ସୀମା ସଡ଼କ ଓ ପରିବହନ ବିଭାଗ(ବିଆର୍‌ଓ) ଏହି ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା। ତେବେ ଏହି ପୋଲର ଦାୟୀତ୍ୱ ବିଆର୍‌ଓ ପାଖରେ ଥିବା ବେଳେ ତାର ଅବହେଳା ପାଇଁ ଏସବୁ ଘଟିଛି। ଉତ୍ତରକାଶୀ ପ୍ରଶାସନ ଏନେଇ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିଆର୍‌ଓ ଅତିଶୀଘ୍ର ଯାତାୟତ ପାଇଁ ଏକ ଅସ୍ଥାୟୀ ବନ୍ଦୋବସ୍ଥ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର