ବେଙ୍ଗାଲୁରୁ ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ

ବେଙ୍ଗାଲୁରୁ: ଶରୀର ଯେତେ ଦୂରରେ ରହିଲେ ବି ଆତ୍ମା ସବୁବେଳେ ନିଜ ଜନ୍ମମାଟିରେ ଥାଏ । ସେଥିପାଇଁ ବିଦେଶ ଭୂଇଁରେ ବି ମନ ସର୍ବଦା ଖୋଜିବୁଲେ ନିଜ ମାଟିର ବାସ୍ନା।। ସେଥିପାଇଁ କେବେ ବି କେଉଁଠି ଓଡ଼ିଆଙ୍କର ଆସରଟିଏ ଜମିଉଠେ ତ ସେ’ଠି ଆନ୍ଦୋଳିତ ହୁଏ କିଛି ମନ, ପ୍ରାଣ ଓ ଆତ୍ମା ଏବଂ ସଞ୍ଚରିତ ହୁଏ ଓଡ଼ିଶା ମାଟିର ମହକ। ଓଡ଼ିଆ ଭାଷା ଓ ସଂସ୍କୃତିକୁ ଚିର ଉଜ୍ଜୀବିତ ରଖିବାରେ ପ୍ରବାସୀ ଓଡ଼ିଆମାନେ ସର୍ବଦା ଚେଷ୍ଟିତ ବୋଲି ବେଙ୍ଗାଲୁରୁ ଓଡ଼ିଆ ସାହିତ୍ୟ ସମାଜ ଦ୍ୱାରା ଆୟୋଜିତ  ଉତ୍କଳ ଦିବସ ପାଳନରୁ ସ୍ପଷ୍ଟ ବାରି ହୋଇପଡ଼େ ।  ଯଥାସାଧ୍ୟ ସାମାଜିକ ଦୂରତା ରକ୍ଷା କରି ଉଦ୍ୟୋକ୍ତା ଓ ସାହିତ୍ୟିକ ତାପସ ରାଜଙ୍କ ସୁପରିଚାଳନାରେ ସମ୍ପନ୍ନ ହୋଇଯାଇଛି ଉତ୍କଳ ଦିବସ ଉତ୍ସବ। ଏଥିରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଓ ଶିକ୍ଷାବିତ୍ ଡ. ଭଗବାନ ଜୟସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଶିକ୍ଷାବିତ୍ ଡ. କ୍ଷୀରୋଦ ଚନ୍ଦ୍ର ବେହେରା, ଇସ୍ରୋ ବୈଜ୍ଞାନିକ ଡ. ଶରତ ଚନ୍ଦ୍ର ଦାଶ, ଓ୍ୱପ୍ରୋ ଉଚ୍ଚାଧିକାରୀ ସୂର୍ଯ୍ୟ ପ୍ରକାଶ ମହାପାତ୍ର, କର୍ଣ୍ଣାଟକର ଶିକ୍ଷାବିତ୍ ଡ. ଚନ୍ଦ୍ରଶେଖର ଜୀ, ହ୍ୟାଲୋ କିଡ୍ସର ମୁଖ୍ୟ ପ୍ରିତମ୍ ଅଗ୍ରୱାଲ୍, ସଙ୍ଗଠନ ଉପଦେଷ୍ଟା ଇଂ ଅବନ୍ତୀ ମଲ୍ଲିକ, ଅଜୟ କେତନ ମହାନ୍ତି ଓ ବାଲ୍ମିକୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ‘ଉତ୍କଳ ଓ ଆମେ’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗ ନେଇ ବକ୍ତବ୍ୟ ରଖିଥିଲେ।

ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ପ୍ରାରମ୍ଭିକ ସଙ୍ଗୀତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଏହାପରେ ବିଶ୍ୱଭାରତୀ ଜଗନ୍ନାଥ ଜଣାଣ, ଜ୍ଞାନେନ୍ଦ୍ର ମଲ୍ଲିକ ବଂଶୀ ବାଦନ ଓ ଶିଶୁ ଶିଳ୍ପୀ ମୁକ୍ତି ସମ୍ଭାବି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।  ଏହାପରେ ସଂଗଠନର ଅନ୍ୟତମ ଉପଦେଷ୍ଟା ଅନୁରୂପା ସିଂଙ୍କର ଅନୁବାଦ ଗଳ୍ପ ସଂକଳନ ‘ଅମୃତା ପ୍ରୀତମଙ୍କର ସ୍ମରଣୀୟ କାହାଣୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ଅନେକ ଓଡ଼ିଆ ସଙ୍ଗଠନ ଯୋଗ ଦେଇଥିବା ବେଳେ ବିଶେଷ କରି ଡାଲଖାଈ ଫାଉଣ୍ଡେସନ୍ ଓ ଉତ୍କଳ ସମାଜ ଫାଉଣ୍ଡେସନକୁ କରୋନା କାଳରେ ସମାଜ ସେବା ପାଇଁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ମଧ୍ୟାହ୍ନର ବିରତି ପରେ ଯୁବ କବି ପ୍ରିୟବ୍ରତ ଦାଶଙ୍କର ସଂଯୋଜନାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ବସବାସ କରିଥିବା ଲେଖକ ଓ ଲେଖିକାମାନଙ୍କର ସ୍ବରଚିତ କବିତା ଓ ଗଳ୍ପ ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ  ଯୁବକବି ଦିଲ୍ଲୀପ ତ୍ରିପାଠୀ, ପ୍ରଶାନ୍ତ ନାଥ, ଗୋବିନ୍ଦ ବାରିକ, ଗିରିଧାରୀ ଧଳ, ପ୍ରଦୀପ ବନ୍ଧ, ବିଜୟ ପଣ୍ଡା, ଧ୍ରୁବ ମହାନ୍ତି, ବିଶ୍ୱରଂଜନ ଗୋସ୍ବାମୀ, ଲମ୍ବୋଦର ବେହେରା, ଯାଜ୍ଞସେନୀ, ଲୋପାମୁଦ୍ରା, ତେଜସ୍ବିନୀ ଓ ସ୍ବପ୍ନା ପ୍ରମୁଖ ଅଂଶଗ୍ରହଣ କରିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜ୍ଞାନୀ, ଗୁଣୀ, ଶୁଭେଚ୍ଛୁ, ପାଠକ, ଲେଖକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସମାଜସେବୀ ଉପସ୍ଥିତ ରହି ଏହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।

ସମ୍ବନ୍ଧିତ ଖବର