ଏଥର ଡିଜିଟାଲ୍ ପ୍ଲାଟଫର୍ମରେ ‘ଉତ୍ସବ’ର ନୃତ୍ୟୋତ୍ସବ ‘ସାରେ ଜହାଁ ସେ ଅଚ୍ଛା’, ୨୭ ଓ ୨୮ରେ ମନମୋହିବେ ଦେଶର ନବୀନ ଓ ପ୍ରବୀଣ ଶିଳ୍ପୀ

ଭୁବନେଶ୍ବର: ଚଳିତ ବର୍ଷ ‘ଉତ୍ସବ’ ପକ୍ଷରୁ ଆୟୋଜିତ ହେଉଥିବା ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ‘ସାରେ ଜହାଁ ସେ ଅଚ୍ଛା-୨୦୨୧’ ଭାରତ ସରକାରଙ୍କ ‘ଆଜାଦି କି ଅମ୍ରିତ୍ ମହୋତ୍ସବ’ର ଅଂଶବିଶେଷ ଭାବେ ପାଳନ ହେବ । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ  ‘ଆଜାଦି କି ଅମ୍ରିତ୍ ମହୋତ୍ସବ’ ପାଳନ ଚାଲିଛି। କୋଭିଡ୍‌ ମହାମାରୀ ଯୋଗୁଁ ଜନସମାବେଶ ଉପରେ କଟକଣା ଜାରି ‌କରାଯାଇଥିବାରୁ ଏଥର ଭିନ୍ନ ରୂପେ ଉକ୍ତ କାର୍ଯ୍ୟକ୍ରମ ପରିବେଶଣ କରାଯିବ ବୋଲି ‘ଉତ୍ସବ’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ନୃତ୍ୟଗୁରୁ ପଦ୍ମଶ୍ରୀ ରଞ୍ଜନା ଗୌହର ସୂଚନା ଦେଇଛନ୍ତି।

କିନ୍ତୁ, ଏହି ଅତୁଟ ପ୍ରଥାକୁ ଚାଲୁ ରଖିବାକୁ ପ୍ରତିବଦ୍ଧ ‘ଉତ୍ସବ’ ଏଥର ‘ଡିଜିଟାଲ୍‌ ପ୍ଲାଟ୍‌ଫର୍ମ’ରେ ‘ସାରେ ଜହାଁସେ ଅଚ୍ଛା’ର ୧୬ଶ ସଂସ୍କରଣ ଆୟୋଜନ କରିବ। ଆସନ୍ତା ୨୭ ଓ ୨୮ ନଭେମ୍ବର, ଦୁଇ ଦିନ ଧରି ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ‘ଫେସ୍‌ବୁକ୍‌’, ‘ୟୁଟ୍ୟୁବ୍‌’, ‘ଇନ୍‌ଷ୍ଟାଗ୍ରାମ୍‌’ ଆଦି ସାମାଜିକ ଗଣମାଧ୍ୟମ ‘ପ୍ଲାଟ୍‌ଫର୍ମ’ ଜରିଆରେ କଳାକାରମାନଙ୍କର ପ୍ରଦର୍ଶନ ସିଧାସଳଖ ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି।

ନଭେମ୍ବର ୨୭ ତାରିଖରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ଗୁରୁ ରଞ୍ଜନା ଗୌହରଙ୍କ ଶିଷ୍ୟାମାନେ ଓଡ଼ିଶୀ ନୃତ୍ୟ ଉପସ୍ଥାପନ କରୁଥିବା ବେଳେ ସଂଗୀତ ନାଟକ ଏକାଡେମୀ  ସମ୍ମାନପ୍ରାପ୍ତ ନୃତ୍ୟଶିଳ୍ପୀ ରମା ବୈଦ୍ୟନାଥନ୍‌ ଭରତନାଟ୍ୟମ୍ ପରିବେଶଣ କରିବେ। ସଂଧ୍ୟାର ‌ଶେଷ ଶିଳ୍ପୀ ଭାବେ ବିସମିଲ୍ଲା ଖାଁ ଯୁବ ପୁରସ୍କାରପ୍ରାପ୍ତ କଥକ ନୃତ୍ୟାଙ୍ଗନା ବିଦା ଲାଲ୍‌ କାର୍ଯ୍ୟକ୍ରମ ପରିବେଶଣ କରିବେ।

ସେହିପରି, ନଭେମ୍ବର ୨୮ତାରିଖରେ ଗୁରୁ ରଞ୍ଜନା ଗୌହରଙ୍କ ଶିଷ୍ୟା ବୃନ୍ଦା ଚଢ଼ା ଓଡ଼ିଶୀ, ଆମେରିକାରେ ଅବସ୍ଥାପିତ  ନୃତ୍ୟଗୁରୁ ବିପିନ ସିଂହଙ୍କ ଶିଷ୍ୟ ସଞ୍ଜୀବ ଭଟ୍ଟାଚାର୍ଯ୍ୟ ମଣିପୁରୀ ଏବଂ ସଂଗୀତ ନାଟକ ଏକାଡେମୀ  ସମ୍ମାନପ୍ରାପ୍ତ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଭାରତୀ ଶିବାଜୀ ମୋହିନିଆଟ୍ଟମ୍ ପରିବେଶଣ କରିବେ।

ଉଲ୍ଲେଖଯୋଗ୍ୟ, ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କଦ୍ବାରା ସଂସ୍ଥାପିତ ‘ଉତ୍ସବ ଶିକ୍ଷା ଏବଂ ସାଂସ୍କୃତିକ ସମାଜ’ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତ ପ୍ରଥାର ସଂରକ୍ଷଣ ଓ ପ୍ରସାର କରି ୩୪ ବର୍ଷର ସାଂସ୍କୃତିକ ଯାତ୍ରା ସମ୍ପନ୍ନ କରିଛି। ଦେଶର ସାଂସ୍କୃତିକ ବିକାଶ କ୍ଷେତ୍ରରେ ସର୍ବଦା ଅଗ୍ରଣୀ ଥିବା ‘ଉତ୍ସବ’ ଆୟୋଜନ କରୁଥିବା ପ୍ରମୁଖ ବାର୍ଷିକ ନୃତ୍ୟ ଉତ୍ସବଗଡ଼ିକ ମଧ୍ୟରେ ରହିଛି  ଉଦୀୟମାନ ଶିଲ୍ପୀଙ୍କୁ ନେଇ  ‘ଅନ୍‌ବାଉଣ୍ଡ୍‌ ବିଟ୍‌ସ୍‌’, ଯୁବ ନୃତ୍ୟଶିଳ୍ପୀଙ୍କୁ ନେଇ ‘ସୁ-ତରଙ୍ଗ୍’ ଏବଂ ଦେଶର ପ୍ରତିଷ୍ଠିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କୁ ନେଇ ‘ସାରେ ଜହାଁସେ ଅଚ୍ଛା’ ଆଦି କାର୍ଯ୍ୟକ୍ରମ। ରାଜଧାନୀ ଦିଲ୍ଲୀର ସମ୍ମାନଜନକ ମଞ୍ଚରେ ଏହିସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ସମ୍ବନ୍ଧିତ ଖବର