ସିଓଲ : ଉତ୍ତର କୋରିଆ ଆଜି ପୂର୍ବାହ୍ନରେ ଏକ ବହୁମୁଖୀ ସ୍ବଳ୍ପ ଦୂରଗାମୀ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଉତ୍ତର କୋରିଆ ସେନା ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ଙ୍କ ଜେଜେ ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ସଙ୍ଗ୍ଙ୍କ ଜନ୍ମଦିନ ଅବସରରେ ପାଳିତ ଜାତୀୟ ଛୁଟି ଦିବସ ଅବସରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଆଜି ପୂର୍ବାହ୍ନ ୭ଟାରେ ଉତ୍ତର କୋରିଆର ମୁନ୍ଚନ ସହରର ପୂର୍ବ ଉପକୂଳରେ ଅବସ୍ଥିତ ସମୁଦ୍ର ମଧ୍ୟକୁ ୧୫୦ କିଲୋମିଟର ଦୂରକୁ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ସୁଖୋଇ ଏହାକୁ ପରିବହନ କରିଥିଲା ବୋଲି ଦକ୍ଷିଣ କୋରିଆର ଜେସିଏସ୍ (ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କେତେ ସଂଖ୍ୟାରେ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ସେ ସମ୍ପର୍କରେ ଜେସିଏସ୍ କୌଣସି ସୂଚନା ଦେଇନାହିଁ। ତେବେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ବିଭାଗ ଏ ନେଇ ସବିଶେଷ ତଥ୍ୟ ହାସଲ କରିଛି ବୋଲି ଜେସିଏସ୍ କହିଛି। ତେବେ ଉତ୍ତର କୋରିଆର ଏଭଳି କ୍ଷେପଣାସ୍ତ୍ର ପରୀକ୍ଷାରେ ଦକ୍ଷିଣ କୋରିଆ ବିଚଳିତ ନୁହେଁ। ଏହା ଉତ୍ତର କୋରିଆର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଦକ୍ଷିଣ କୋରିଆର ଜେସିଏସ୍ ମୁଖ୍ୟ ଜେନେରାଲ ମାର୍କ ମିଲେ କହିଛନ୍ତି। ତେବେ ଗତ ୨୦୧୭ରେ ଶେଷ ଥର ପାଇଁ ଉତ୍ତର କୋରିଆ ଏଭଳି ଏକ ଆଣ୍ଟି ସିପ୍ ମିଜାଇଲ ପରୀକ୍ଷା କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp