ଉତ୍ତରପ୍ରଦେଶ: ୩ ଭଉଣୀଙ୍କ ଉପରକୁ ଏସିଡ୍‌ ଆକ୍ରମଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଣି ଏକ ମହିଳା ବିରୋଧୀ ବର୍ବର କାଣ୍ଡ ଘଟିଛି। ଏକ ଦଳିତ ପରିବାରରେ ୩ ଝିଅ ତଥା ୩ ଭଉଣୀଙ୍କ ଉପରକୁ ଏସିଡ୍‌ ଆକ୍ରମଣ ହୋଇଛି। ଗତକାଲି ଗୋଣ୍ଡା ଜିଲ୍ଳା ଅଧୀନସ୍ଥ ପସ୍କା ଗ୍ରାମରେ ରାତି ପ୍ରାୟ ୨ଟା ସମୟରେ ଏହି କାଣ୍ଡ ଘଟିଛି। ୩ ଭଉଣୀ ଶୋଇଥିବା ସମୟରେ ସେମାନଙ୍କ ଉପରକୁ ଏସିଡ୍‌ ଆକ୍ରମଣ ହୋଇଥିଲା। ଛାତ ଉପରୁ କେହି ଜଣେ ଝରକା ଦେଇ ସେମାନଙ୍କ ଉପରେ ଏସିଡ୍‌ ପକାଇଥିବା ଜଣାପଡ଼ିଛି। ୩ ଭଉଣୀଙ୍କ କାନ୍ଦ ଶୁଣିବାପରେ ବାପା-ମା’ ତୁରନ୍ତ ସେମାନଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେତେବଳକୁ ଆକ୍ରମଣକାରୀ ଖସି ପଳାଇଥିଲା। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ୩ ଭଉଣୀଙ୍କ ବୟସ ୮ରୁ ୧୭ ବର୍ଷ ମଧ୍ୟରେ। ବଡ଼ ଭଉଣୀର ବୟସ ୧୭। ତା’ ଶରୀରର ୩୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ମଝିଆଁ ଭଉଣୀକୁ ୧୨ ବର୍ଷ ଏବଂ ତା’ ଶରୀର ୨୦ ପ୍ରତିଶତ ପୋଡ଼ିଯାଇଛି। ଅନ୍ୟପକ୍ଷେ ସାନ ଭଉଣୀକୁ ୮ ବର୍ଷ ହୋଇଥିବା ବେଳେ ତା’ ଶରୀର ୫ ପ୍ରତିଶତ ପୋଡ଼ି ଯାଇଛି। ସେମାନେ ଅନୁସୂଚିତ ଜାତିରଅଟନ୍ତି। ତେବେ ପୁଲିସ ଉକ୍ତ ମାମଲାରେ ଅଭିଯୁକ୍ତକୁ ଧରିପାରିନି। କେଉଁ କାରଣ ପାଇଁ ସେମାନଙ୍କ ଉପରକୁ ଆକ୍ରମଣ ‌ହୋଇଛି ତାହା ମଧ୍ୟ ଜଣାପଡ଼ି ନାହିଁ। ଆକ୍ରମଣର ଶିକାର ହୋଇଥିବା ୩ ଭଉଣୀ ଏକେ ଗୋଣ୍ଡା ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ପ୍ରଶାସନିକ ଅଧିକାରୀମାନେ ହସ୍ପିଟାଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର