ଉତ୍ତରପ୍ରଦେଶ ରାସାୟନିକ କାରଖାନାରେ ବିସ୍ଫୋରଣ, ୮ ମୃତ

ନୂଆଦିଲ୍ଲୀ  : ଦେଶରେ ଆଉ ଏକ ରାସାୟନିକ କାରଖାନାରେ ଦୁର୍ଘଟଣା ଘଟି ନିଆଁ ଲାଗିଯାଇଛି । ଦିଲ୍ଲୀଠାରୁ ମାତ୍ର ୮୦ କିଲୋମିଟର ଦୂର ଉତ୍ତରପ୍ରଦେଶର ହାପୁରଠାରେ ଥିବା ରାସାୟନିକ କାରଖାନାରେ ଏହି ଦୁର୍ଘଟଣା ଘଟିଛି ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଗତ ୩ ଦିନ ମଧ୍ୟରେ ଏହା ହେଉଛି ଏ ଧରଣର ୨ୟ ଦୁର୍ଘଟଣା ।

ମିଳିଥିବା ସୂଚନା ଅନୁସାରେ ହାପୁରଠାରେ ଥିବା ଧଉଲାନା ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନାର ବଏଲରରେ ହଠାତ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଥିବା ୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ କାରଖାନାର ଛାତ ଉଡ଼ିଯାଇଛି । ଘଟଣାସ୍ଥଳରେ ହାପୁର ଆଇଜି ପ୍ରବୀଣ କୁମାର ପହଞ୍ଚିଛନ୍ତି । ସେ କହିଛନ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ଓ ଅବହେଳା କରିଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାରଦିନ ଗୁଜୁରାଟର ଭରୋଦରା ସ୍ଥିତ ନନ୍ଦେସାରି ଶିଳ୍ପାଞ୍ଚଳଠାରେ ଥିବା ଦୀପକ୍ ନାଇଟ୍ରାଇଟ କାରଖାନାରେ ଏକ ବଡ଼ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ୭ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ଅନେକ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

ସମ୍ବନ୍ଧିତ ଖବର