ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଉତ୍ତରପ୍ରଦେଶରେ ଏବେ ହାଇ ଭୋଲ୍ଟେଜ୍ ରାଜନୀତି ଚାଲିଛି। ଉତ୍ତରପ୍ରଦେଶରେ ଚଳିତ ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରହିବ ଅଖିଳେଶ ଯାଦବଙ୍କ ସପା (ସମାଜବାଦୀ ପାର୍ଟି)। ସପା ସୁପ୍ରିମୋ ଅଖିଳେଶ ଯାଦବ ବିଜେପିକୁ ମାତ୍ ଦେବାପାଇଁ ଆଞ୍ଚଳିକ ଦଳମାନଙ୍କ ସହ ହାତ ମିଳାଉଛନ୍ତି। ସପା କୌଣସି ବଡ଼ ଦଳ ମେଣ୍ଟ କରିବ ନାହିଁ ବୋଲି ଅଖିଳେଶ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ତେଣୁ ୨୦୧୭ ବିଧାନସଭା ନିର୍ବାଚନରେ ସପା କଂଗ୍ରେସ ଏବଂ ବସପା ସହ ମେଣ୍ଟ କରିଥିଲା। କିନ୍ତୁ ଚଳିତ ଥର ବସପା ଏବଂ କଂଗ୍ରେସ ସପା ମେଣ୍ଟ କରିବନି। ଅଖିଳେଶ ଚଳିତ ଥର ରଣନୀତି ବଦଳାଇଛନ୍ତି। ବଡ଼ ଦଳ ସହ ମେଣ୍ଟ କରିବା ପରିବର୍ତ୍ତେ ଆଞ୍ଚଳିକ ଦଳମାନଙ୍କ ସହ ହାତ ମିଳାଇ ବିଜେପି ସହ ଲଢ଼ିବାପାଇଁ ଚାହିଛନ୍ତି। ଗତକାଲି ସପା ଏବଂ ଆର୍ଏଲ୍ଡି (ରାଷ୍ଟ୍ରୀୟ ଲୋକଦଳ) ସହ ମେଣ୍ଟ ଚୂଡ଼ାନ୍ତ ହୋଇସାରିଛି। ଉଭୟ ଦଳ ମଧ୍ୟରେ ଆସନ୍ତା ବୁଝାମଣା ନେଇ ସହମତି ହୋଇଥିବା ବେଳେ ସପା ଆରଏଲ୍ଡିକୁ ୩୬ ଆସନ ଦେବାପାଇଁ ରାଜି ଥିବା ଜଣାପଡ଼ିଛି। କିନ୍ତୁ ଉକ୍ତ ୩୬ ଆସନରୁ ୬ଟି ସପା ପ୍ରାର୍ଥୀ ଦେବ କିନ୍ତୁ ସେମାନେ ଆର୍ଏଲ୍ଡି ଚିହ୍ନରେ ଲଢ଼ିବେ। ଅନ୍ୟପକ୍ଷରେ ଅସଉଦ୍ଦିନ ଅୱେସିଙ୍କ ସହ ସପା ମେଣ୍ଟ କରିବ କି ନାହିଁ ସେ ନେଇ ସ୍ଥିତି ସ୍ପଷ୍ଟ ହେଉନାହିଁ। ଏହି ପ୍ରସଙ୍ଗରେ ଦଳୀୟ ନେତାମାନେ କିଛି ବୟାନ ଦେବାକୁ ଚାହୁନାହାନ୍ତି।
ଅନ୍ୟପକ୍ଷେ ଆପ୍ ନେତା ସଂଜୟ ସିଂହ ଏବଂ ଅଖିଳେଶ ଯାଦବ ଆଜି ଲକ୍ଷ୍ନୌରେ ଭେଟିଛନ୍ତି। ଆର୍ଏଲଡି ସହ ମେଣ୍ଟ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଖିଳେଶ ଆପ୍ ନେତାଙ୍କୁ ଭେଟିଛନ୍ତି। ବୈଠକ ପରେ ଆପ୍ ଦାବି କରିଛି ଯେ, ବିଜେପି ବିରୋଧରେ ଏକ ସାଧାରଣ ମଞ୍ଚ ପ୍ରସ୍ତୁତି ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି। ଅଖିଳେଶ ନିକଟରେ ଏସ୍ବିଏସପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି) ସହ ମେଣ୍ଟ କରିଥିଲେ। ବିଜେପିର ପୂର୍ବତନ ମେଣ୍ଟ ସହଯୋଗୀ ଏସ୍ବିଏସ୍ପିର ମୁଖ୍ୟ ହେଉଛନ୍ତି ଓମ୍ ପ୍ରକାଶ ରାଜଭର। ଏସ୍-ବିଏସ୍ପିର ପୂର୍ବ ଉତ୍ତରପ୍ରଦେଶର ୩୦ରୁ ୪୦ ଆସନରେ ପ୍ରଭାବ ରହିଛି। ରାଜଭର ଯୋଗୀ ସରକାରରେ ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଥିଲେ। ବିଧାନସଭାରେ ତାଙ୍କ ଦଳରୁ ୩ ବିଧାୟକ ଅଛନ୍ତି। ରାଜଭର କହିଛନ୍ତି, ଏନ୍ଡିଏରେ ତାଙ୍କୁ କୌଣସି ସମ୍ମାନ ମିଳିଲାନି। ତେଣୁ ସେ ସମାଜବାଦୀ ପାର୍ଟି ସହ ହାତ ମିଳାଇଲେ। ସେହିପରି ଅନ୍ୟ ଏକ ଆଞ୍ଚଳିକ ଦଳ ଆପ୍ନା ଦଳ ବି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସପା ସହ ମେଣ୍ଟ କରିବ। କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ମା’ କ୍ରୀଷ୍ଣା ପଟେଲ ଆପ୍ନା ଦଳର ମୁଖ୍ୟ। ଆଗାମୀ ନିର୍ବାଚନ ପାଇଁ ସପା ସହ ମେଣ୍ଟ ହେବ ବୋଲି ଏହା ଘୋଷଣା କରିଛି। କିନ୍ତୁ ଅଖିଳେଶଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/sghfshsfhsfhfshfsh665456465.jpg)