ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା ଆରମ୍ଭ କଲେଣି। ଏହି କ୍ରମରେ ବିଜେପି ୧୦୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିସାରିଛି। ରାଜ୍ୟ ରାଜନୀତିରେ ଜାତି ସମୀକରଣ ଏବଂ ଜାତି ଭୋଟ୍‌ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ବିଜେପି ଏଥିପାଇଁ ଅତି ସତର୍କତାର ସହ ଗୋଟି ଚାଳନା କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଜାତି ଭୋଟ୍‌ ହାତେଇବା ପାଇଁ ଯେଉଁ ଫର୍ମୁଲା ଗ୍ରହଣ କରୁଥିଲେ ବିଜେପି ଏବେ ତାହାକୁ ଆପଣାଇଛି। ଅମିତ ଶାହଙ୍କ ନେତୃତ୍ବରେ ବିଜେପି ଦଳିତ ଏବଂ ପଛୁଆବର୍ଗ ଭୋଟ୍‌ ଏକଜୁଟ୍‌ କରି ଚଳିତ ନିର୍ବାଚନରେ ମିସନ୍‌ ୩୦୦ ପ୍ଲସ୍‌ ଲକ୍ଷ୍ୟ ହାସଲ କରିବାକୁ ଚାହୁଛି।

Advertisment

ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ବହୁଜନ ସମାଜବାଦୀ ପାର୍ଟି ପଛୁଆ ବର୍ଗଙ୍କ ଭୋଟ୍‌ ହାସଲ ପାଇଁ ଏବେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଏବଂ ଏହି ବର୍ଗକୁ ବିଜେପି ଲଗାତାର ପ୍ରତାରଣା କରିଚାଲିଛି ବୋଲି ବିରୋଧୀ ଦଳମାନେ ଏକସ୍ବରରେ ପ୍ରଚାର ଚଳାଇଛନ୍ତି। ତେଣୁ ବିଜେପି ଦଳିତ ଏବଂ ପଛୁଆ ବର୍ଗଙ୍କୁ ଏକତ୍ର କରି ୧୯୯୧ରେ କଲ୍ୟାଣ ସିଂହ ଗ୍ରହଣ କରିଥିବା ଫର୍ମୁଲାକୁ ପ୍ରୟୋଗ କରିଛି। ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ୪୪ ଜଣ ପଛୁଆ ବର୍ଗର ପ୍ରାର୍ଥୀ ଥିବା ବେଳେ ୧୯ ଜଣ ଦଳିତ ପ୍ରାର୍ଥୀ ଅଛନ୍ତି। ପ୍ରଥମ ଦଫାରେ ୬୦ ପ୍ରତିଶତ ପ୍ରାର୍ଥୀଙ୍କୁ ଦଳିତ ଏବଂ ପଛୁଆ ବର୍ଗରୁ ଚୟନ କରି ବିଜେପି କଲ୍ୟାଣ ସିଂହ ଫର୍ମୁଲାକୁ ନେଇ ପୂରା ଦମ୍‌ରେ ଆଗକୁ ବଢ଼ୁଛି। ଯେଉଁ ଦଳିତ ଭୋଟର୍‌ମାନଙ୍କର ବିଏସ୍‌ପି ସହିତ ମୋହଭଙ୍ଗ ହୋଇଛି ସେମାନଙ୍କୁ ନିଜ ପଟକୁ ଆଣିବା ପାଇଁ ବିଜେପିର ଯୋଜନାବଦ୍ଧ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ ବିଜେପିକୁ ଦଳିତ ବିରୋଧୀ ବୋଲି ଚିତ୍ରଣ କରିବା ପାଇଁ କଂଗ୍ରେସ, ସପା ସମେତ ସମସ୍ତ ରାଜନୈତିକ ଦଳ କୌଣସି ମଉକା ହାତଛଡ଼ା କରୁନାହାନ୍ତି। ଏପରିକି ସମସ୍ତ ବିରୋଧୀ ଦଳ ନେତାଙ୍କ ଭାଷଣରେ ବିଜେପି କିଭଳି ଦଳିତ ବିରୋଧୀ ତାହାର ବର୍ଣ୍ଣନା ହିଁ ସ୍ଥାନ ପାଉଥିବା ଲକ୍ଷ୍ୟ କରାଯାଇଛି।