ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ବିଏସ୍‌ଏଫ୍‌ ଯବାନ ଗିରଫ; ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ‘ହନି ଟ୍ରାପ୍‌’ରେ ଫସି ଯୋଗାଉଥିଲେ ଗୋପନୀୟ ତଥ୍ୟ

ଲକ୍ଷ୍ନୌ/ ନୂଆଦିଲ୍ଲୀ: ପାକିସ୍ତାନର ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଉତ୍ତରପ୍ରଦେଶର ଆଣ୍ଟି- ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌) ଆଜି ନୋଇଡ଼ାରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ ଯବାନଙ୍କୁ ଗିରଫ କରିଛି। ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବିଏସ୍‌ଏଫ୍‌ ଯବାନଙ୍କ ନାମ ଅଚ୍ୟୁତାନନ୍ଦ ମିଶ୍ର ଏବଂ ତାଙ୍କ ଘର ମଧ୍ୟପ୍ରଦେଶର ରେଓ୍ଵାରେ।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତରପ୍ରଦେଶ ପୁଲିସ୍‌ ମହାନିର୍ଦ୍ଦେଶକ ଓ ପି ସିଂହ କହିଛନ୍ତି ଯେ ପାକିସ୍ତାନର ଆଇଏସ୍‌ଆଇ କର୍ତ୍ତୃପକ୍ଷ ନିଜର ଜଣେ ମହିଳା ଏଜେଣ୍ଟଙ୍କୁ ପ୍ରତିରକ୍ଷା ରିପୋର୍ଟରର ମିଥ୍ୟା ପରିଚୟ ଦେଇ ତାଙ୍କୁ ବିଏସ୍‌ଏଫ୍‌ ଜବାନ ଅଚ୍ୟୁତାନନ୍ଦଙ୍କ ନିକଟକୁ ପଠାଇଥିଲେ। ପରେ ସଂପୃକ୍ତା ମହିଳା ଜଣକଙ୍କ ‘ହନି ଟ୍ରାପ୍‌’ ଜରିଆରେ ଅଚ୍ୟୁତାନନ୍ଦଙ୍କୁ କରାୟତ କରିନେଇ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲେ। ପରେ ତାଙ୍କ ଠାରୁ ବିଏସ୍‌ଏଫ୍‌ ୟୁନିଟର ଯୋଜନାର ସଂପୂର୍ଣ୍ଣ ବିବରଣୀ, ପୁଲିସ୍‌ ଏକାଡେମି ଓ ଟ୍ରେନିଂ ସେଣ୍ଟର ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦଲିଲ୍‌ ହାସଲ କରି ନେଇଥିଲେ ଆଇଏସ୍‌ଆଇର ମହିଳା ଏଜେଣ୍ଟ। କଥା ଖାଲି ଏତିକିରେ ସୀମିତ ରହି ନଥିଲା; ଆଇଏସ୍‌ଆଇର ମହିଳା ଏଜେଣ୍ଟ (ହନି ଟ୍ରାପ୍‌)ରେ ଅଚ୍ୟୁନାନନ୍ଦଙ୍କୁ ଏମିତି ଫସାଇ ଦେଇଥିଲେ ଯେ ସେ ‘ପାକିସ୍ତାନ ଦୋସ୍ତ’ ନାମରେ ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ମୋବାଇଲ ନମ୍ବରକୁ ନିଜ ମୋବାଇଲରେ ସେଭ୍‌ କରି ତାଙ୍କ ସହ ନିୟମିତ ଚାଟ୍‌ କରୁଥିଲେ ଓ ବିଏସ୍‌ଏଫ୍‌ କ୍ୟାମ୍ପର ଫାଟୋ ସହ ଅବସ୍ଥିତି, ବିଏସ୍‌ଏଫ୍‌ ଯବାନମାନେ ବ୍ୟବହାର କରୁଥିବା ବିଭିନ୍ନ ଯୁଦ୍ଧାସ୍ତ୍ର ଓ ଗୁଳିଗୋଳାର ଫଟୋ ଏବଂ ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସଂପୂର୍ଣ୍ଣ ଗୋପନୀୟ ତଥ୍ୟକୁ ସୁଦ୍ଧା ତାଙ୍କ ନିକଟକୁ ପଠାଇ ଦେଉଥିଲେ।

ଅଚ୍ୟୁତାନନ୍ଦ ୨୦୦୬ରେ ବିଏସ୍‌ଏଫ୍‌ରେ ନିଯୁକ୍ତି ପାଇଥିବା ବେଳେ ୨୦୧୬ରୁ ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ (ହନି ଟ୍ରାପ୍‌)ରେ ଫସିଯାଇ ତାଙ୍କୁ ସବୁ ଗୋପନୀୟ ଓ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌ ଯୋଗାଇ ଦେଇଥିଲେ। ତେବେ, ଅଚ୍ୟୁତାନନ୍ଦଙ୍କ କାର୍ଯ୍ୟକଳାପ ପରେ ସନ୍ଦେହ ପ୍ରକଟ କରି ବିଏସ୍‌ଏଫ୍‌ର ଗୁଇନ୍ଦା ବିଭାଗ ତାଙ୍କ ଉପରେ ଗତ କିଛିଦିନ ଧରି ଦୃଷ୍ଟି ରଖିବା ସହ ତାଙ୍କର ପ୍ରତିଟି କାର୍ଯ୍ୟକଳାପକୁ ଅନୁଧ୍ୟାନ କରୁଥିଲା। ତେବେ, ସନ୍ଦେହରେ ସତ୍ୟତା ରହିଥିବା ଜାଣିବା ପରେ ଉତ୍ତରପ୍ରଦେଶର ଏସ୍‌ଟିଏଫ୍‌ ଗତ ଦୁଇଦିନ ତଳେ ତାଙ୍କୁ ଅଟକ ରଖି ଜେରା ଚଳାଇଥିଲା। ଜେରା କାଳରେ ଅଚ୍ୟୁତାନନ୍ଦ ସମସ୍ତ ସତ ସ୍ୱୀକାର କରିବା ପରେ ଏସ୍‌ଟିଏଫ୍‌ ଆଜି ତାକୁ ଗିରଫ କରିଥିବା କହିଛନ୍ତି ଉତ୍ତରପ୍ରଦେଶ ପୁଲିସ୍‌ ମହାନିର୍ଦ୍ଦେଶକ ଓ ପି ସିଂହ।

ସମ୍ବନ୍ଧିତ ଖବର