ୟୁପିରେ ୫୦୦୦ ନୂତନ ପୁଲିସ ପଦବୀ ସୃଷ୍ଟି କରିବେ ଯୋଗୀ ସରକାର

ଲକ୍ଷ୍ନୌ: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶ ସରକାର ୫୦୦୦ ନୂତନ ପୁଲିସ ପଦବୀ ସୃଷ୍ଟି କରିବାକୁ ରବିବାର ଘୋଷଣା କରିଛନ୍ତି।

ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଗୁଇନ୍ଦା, ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ) ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ସମେତ ପୁଲିସର ଅନେକ ୟୁନିଟରେ ୫,୦୦୦ ନୂତନ ପଦବୀ ସୃଷ୍ଟି କରିବାକୁ ୟୁପି ସରକାର ଘୋଷଣା କରିଛନ୍ତି।

ଅଯୋଧ୍ୟାରେ ଏସଟିଏଫର ଏକ ନୂତନ ୟୁନିଟ୍‌ ପ୍ରସ୍ତୁତ କରା ଯାଉଥିବା ବେଳେ ଗୋରଖନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ଏବଂ ଧାର୍ମିକ ସ୍ଥାନ ପାଇଁ ସୁରକ୍ଷା ୟୁନିଟ୍‌ ବୃଦ୍ଧି କରାଯାଇଛି। ଏତଦବ୍ୟତୀତ କାଶୀ, ମଥୁରା ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସୁରକ୍ଷା ୟୁନିଟ୍‌ ବୃଦ୍ଧି କରାଯାଇଛି।

ରାଜ୍ୟରେ ସୁରକ୍ଷା ବୃଦ୍ଧି ପାଇଁ ଉତ୍ତରପ୍ରଦେଶ ପୁଲିସ ମଧ୍ୟ ଡ୍ରୋନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିବାକୁ ଯାଉଛି।

ଏଥିସହ ରାଜ୍ୟ ପୁଲିସର ସାମାଜିକ ଗଣମାଧ୍ୟମ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏକ ନୂତନ ୟୁନିଟ୍‌ ମଧ୍ୟ ପ୍ରସ୍ତୁତ କରା ଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧିତ ଖବର