ଅ‌‌‌ଯୋଧ୍ୟାରେ ମସ୍‌ଜିଦ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ ୟୁପି ସରକାର

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ୍‌ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ କରିଛନ୍ତି। ସରକାର ମସ୍‌ଜିଦ୍‌ ପାଇଁ ମର୍ଜାପୁର, ସାମସୁଦିନପୁୁର ଏବଂ ଚାନ୍ଦପୁରରେ ୫ଟି ଜମି ଚିହ୍ନଟ କରିଛନ୍ତି। ସମସ୍ତ ଜମି ଅଯୋଧ୍ୟାର ‘ପଞ୍ଚୋକ୍ସି ପରିକ୍ରମା’ ବାହାରେ ରହିଛି। ବହୁଚର୍ଚ୍ଚିତ ଆଯୋଧ୍ୟା ରାୟର ଶୁଣାଣି କରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଟ୍ରଷ୍ଟ୍‌ ବୋର୍ଡ ଗଠନ ହେବା ପରେ ଯାଇ ଏହି ଜମିଗୁଡ଼ିକୁ ସରକାର ‘ସୁନି ୱାକ୍‌ଫ୍‌ ବୋର୍ଡ’କୁ ପ୍ରଦାନ କରିବେ।

ଗତ ନଭେମ୍ବର ୯ ତାରିଖରେ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ବିବାଦୀୟ ଜମିରେ ପୂର୍ବରୁ ରାମ ମନ୍ଦିର ଥିଲା ବୋଲି କହିବା ସହ  ଅଯୋଧ୍ୟା ଭିତରେ ‘ସୁନି ୱକ୍‌ଫ୍‌ ବୋର୍ଡ’କୁ ମସ୍‌ଜିଦ୍‌ ପାଇଁ ୫ ଏକର ଜମି ଯୋଗାଇ ଦିଆଯିବ ବୋଲି ରାୟରେ ପ୍ରକାଶ କରିଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ଅଦାଲତରେ ୧୮ ଥର ମାମଲାର ପୁନର୍ବିଚାର ପାଇଁ ଆବେଦନ ହୋଇଥିଲେ ବି ସେ ସମସ୍ତ ଆବେଦନକୁ ଡିସେମ୍ବର ୧୨ ତାରିଖରେ ଖାରଜ କରି ଦିଆଯାଇଥିଲା।

image source-indiatimes

ଉଲ୍ଳେଖଯୋଗ୍ୟ, ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ନେଇ ଦୀଘ ୭୦ ବର୍ଷ ଟଣାଓଟରା ଲାଗି ରହିଥିଲା। ହିନ୍ଦୁମାନେ ସେଠାରେ ରାମ ମନ୍ଦିର ଥିବା ଦାବି କରି ଆସୁଥିବା ବେଳେ ମୁସ୍‌ଲମାନମାନେ ବାବ୍ରୀ ମସ୍‌ଜିଦ୍‌ ଥିବା ଦାବି କରି ଆସୁଥିଲେ।  ଶେଷରେ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇଥିଲା। ସେଠାରେ ଆଗରୁ ରାମ ମନ୍ଦିର ଥିଲା ବୋଲି ସୁପ୍ରିମ୍‌କୋର୍ଟ ରାୟ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଥିଲେ।

 

ସମ୍ବନ୍ଧିତ ଖବର