ଉତ୍ତର ପ୍ରଦେଶ ଜେଲ୍‌ରେ ପରିବେଷଣ ହେଉଛି ଚମତ୍କାର ‘ପଞ୍ଚ-ତାରକା’ ମାନ୍ୟତାପ୍ରାପ୍ତ ଭୋଜନ

ଫାରୁଖାବାଦ୍‌: ଉତ୍ତର ପ୍ରଦେଶର ଫାରୁଖାବାଦ୍‌ ଅନ୍ତର୍ଗତ ଫତେଗଡ଼ ଜିଲ୍ଲା କାରାଗାରରେ ଥିବା ୧,୧୦୦ କଏଦୀଙ୍କୁ ପରିବେଷଣ କରାଯାଉଥିବା ଭୋଜନ ଏବେ ଅଧିକ ସୁସ୍ବାଦୁ ହୋଇ ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ଠାରୁ (ଏଫ୍‌ଏସ୍‌ଏସ୍‌ଏଆଇ) ‘ଫାଇଭ୍‌-‌ଷ୍ଟାର୍‌’ ମାନ୍ୟତା ପାଇଛି।

‘ଏଫ୍‌ଏସ୍‌ଏସ୍‌ଏଆଇ’ ପ୍ରଦାନ କରିଥିବା ସାର୍ଟିଫିକେଟ୍‌ରେ ଉଲ୍ଲେଖ ଅଛି, ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ଦ୍ବାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ  ଫାରୁଖାବାଦର ଫତେଗଡ଼ ଜିଲ୍ଲା କାରାଗାରକୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍‌’ ମାନ୍ୟତା ପ୍ରଦାନ କରାଗଲା। ଉପରୋକ୍ତ ଟିପ୍ପଣି ପରେ ଉକ୍ତ ପ୍ରମାଣପତ୍ରରେ ‘ପଞ୍ଚ-ତାରକା’ ମାନ୍ୟତା ଏବଂ ‘ଚମତ୍କାର’ ବୋଲି ଉଲ୍ଲେଖ କରାଯାଇଛି। ଏହି ମାନ୍ୟତା ୨୦୨୪ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ କାଏମ ରହିବ।

ଦେଶ ସ୍ବାଧୀନତାର ୭୫ତମ ବର୍ଷିକୀ ପୂର୍ତ୍ତି ଅବସରରେ କାରାଗାର ପାଇଥିବା ଉପରୋକ୍ତ କୃତ୍ବିତ୍ବ ବିଷୟରେ ବର୍ଣ୍ଣନା କରି ଫତେଗଡ଼ ଜିଲ୍ଲା କାରାଗାରର ଜେଲର୍‌ ଅଖିଳେଶ କୁମାର ଗଣମାଧ୍ୟମକୁ କହିଛନ୍ତି, ତୃତୀୟ ପକ୍ଷ ‘ଅଡିଟ୍‌’ ‌ପରେ ଆମେ ଏହି ପ୍ରମାଣପତ୍ର ପାଇଛୁ। ଆମକୁ ଉକ୍ତ ପ୍ରମାଣପତ୍ର ମିଳିବା ଆଗରୁ ଆମ ଜେଲ୍‌ କର୍ମଚାରୀମାନଙ୍କ ମଧ୍ୟରୁ କ‌େତେ ଜଣଙ୍କୁ ଅନ୍‌ଲାଇନ୍‌ ତାଲିମ ଦିଆଯାଇଥିଲା।

Image Courtesy of Mint

ପ୍ରମାଣପତ୍ର ମିଳିବା ପୂର୍ବରୁ ପରିଚ୍ଛନ୍ନତା, ଖାଦ୍ୟର ମାନ, ‘ଏଫ୍‌ଏସ୍‌ଏସ୍‌ଏଆଇ’ ଅନୁମୋଦିତ ଦେକାନରୁ ଚାଉଳ, ଗହମ ଓ ଡାଲି କିଣା ଏବଂ ଜେଲ୍‌ କର୍ମଚାରୀଙ୍କ ଉତ୍ତମ ପୋଷାକ ପରିଧାନ ଆଦିକୁ ବିଚାର କରାଯାଇଥିଲା।

ଜେଲର୍‌ ଅଖିଳେଶ କୁମାର କହିଛନ୍ତି, ପ୍ରତିଦିନ କଏଦୀମାନଙ୍କୁ ନାନା ପ୍ରକାରର ଖାଦ୍ୟ ପରଷା କରାଯାଇଥାଏ। ସେମାନଙ୍କୁ ପରଷା ଯାଉଥିବା ଡାଲିଗୁଡ଼ିକ ମଧ୍ୟରେ ଅଛି ହରଡ଼, ମସୁର, ଚଣା ଏବଂ ବିରି। ସକାଳ ଜଳଖିଆରେ ଦୁଇ ଦିନ ଚଣା, ଆଉ ଦୁଇ ଦିନ ପାଉଁରୁଟି ବାକି ତନି ଦିନ ଦଲିଆ ପରିବେଷଣ କରାଯାଏ।

ସେହିପରି, ପ୍ରଥମ, ତୃତୀୟ ଓ ଶେଷ ରବିବାର ସନ୍ଧ୍ୟାରେ ପୁରି, ତରକାରି ଓ ହାଲୁଆ ପରଷାଯାଏ। ଦ୍ବିତୀୟ ରବିବାରରେ ପରିବେଷଣ ହୁଏ କଢ଼ି-ଚାଉଳ। ଆପ୍ରୋନ୍‌ ପିନ୍ଧି ରୋଷେଇବାସ କାର୍ଯ୍ୟରେ ୩୦ରୁ ୩୫ଜଣ ଅନ୍ତେଃବାସୀ ଲାଗନ୍ତି। ପ୍ରତିଦିନ ଭୋଜନ ଯାଞ୍ଚ କରାଯାଏ ଏବଂ ସ୍ବାଦିଷ୍ଠ ହୋଇଛି କି, ନାହିଁ କଏଦୀମାନଙ୍କୁ ପଚରାଯାଏ ବୋଲି କୁମାର କହିଛନ୍ତି।

ସମ୍ବନ୍ଧିତ ଖବର