ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ: ସମସ୍ତ ୧୩ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସମସ୍ତ ୧୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଉକ୍ତ ୧୩ ଜଣଙ୍କ ମଧ୍ୟରୁ ୯ ଜଣ ବିଜେପିର ଏବଂ ୪ ଜଣ ସମାଜବାଦୀ ପାର୍ଟିର। ବିଜେପି ପ୍ରାର୍ଥୀମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ମନ୍ତ୍ରୀ ଚୌଧୁରୀ ଭୂପେନ୍ଦ୍ର, ଦୟାଶଙ୍କର ମିଶ୍ର ଦୟାଲୁ, ଜେପିଏସ୍‌ ରାଠୋର୍‌ ନିର୍ଦ୍ବନ୍ଦ୍ବରେ ନିର୍ବା‌ଚିତ ହୋଇଛନ୍ତି।

ଅନ୍ୟପକ୍ଷେ ସମାଜବାଦୀ ପାର୍ଟିର ସ୍ବାମୀ ପ୍ରସାଦ ମୌର୍ଯ୍ୟ, ମୁକୁଲ ଯାଦବ ନିଜ ନିଜ ଆସନରୁ ଜିତିଛନ୍ତି। ଯାଦବ ହେଉଛନ୍ତି ସୋବରାନ ଯାଦବଙ୍କ ପୁଅ ଯିଏ କି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ କରହାଲ ଆସନ ଅଖିଳେଶଙ୍କ ପାଇଁ ଛାଡ଼ିଥିଲେ। କେଶବ ପ୍ରସାଦ ମୌର୍ଯ୍ୟ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସିରାଥୁ ଆସନରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ସେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ଫଜିଲନଗର ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ଇତି ମଧ୍ୟରେ ଆଜମ ଖାନ୍‌ଙ୍କ ଘନିଷ୍ଠ ସହଯୋଗୀ ଶାହନୱାଜ ଖାନ୍‌ ଶବ୍ବୁ ଏବଂ ଜସମୀର ଅନ୍‌ସାରି ମଧ୍ୟ ବିଧାନ ପରିଷଦ ନିର୍ବାଚନରେ ଜିତିଛନ୍ତି।

ସମ୍ବନ୍ଧିତ ଖବର