ଜମ୍ମୁ: ଲଖିମପୁର ଖେରି ହିଂସାକୁ ନେଇ ଉତ୍ତର ପ୍ରଦେଶକୁ ନୂଆ ଜମ୍ମୁ-କାଶ୍ମୀରର ଆଖ୍ୟା ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା। ନିଜ ଟ୍ବିଟର ହ୍ୟାଣ୍ଡେଲ୍‌ରେ ଅବଦୁଲ୍ଲା ଲେଖିଛନ୍ତି, ଲଖିମପୁର ଖେରିରେ ରବିବାର ହୋଇଥିବା ହିଂସାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଲଖିମପୁରକୁ ବିରୋଧୀ ନେତାମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଯୋଗୀ ସରକାର ହଙ୍ଗାମା ଛିଡ଼ା କରାଇଛନ୍ତି। ଯେମିତି ଜମ୍ମୁରେ ରାଜ୍ୟର ଦ୍ବାର ଛଡ଼େଇ ନିଆଯାଇଥିଲା ଏବଂ ଦୁଇଖଣ୍ଡ କରିବା ପରେ ଜମ୍ମୁ-କାଶ୍ମୀରରେ ଯାହା ହୋଇଥିଲା, ଠିକ୍‌ ସେମିତି ଏବେ ଉତ୍ତର ପ୍ରଦେଶରେ ଘଟିଛି। ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫତି ଟ୍ବିଟ୍‌ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯେକୌଣସି ସ୍ଥାନରେ ମାନବାଧିକାର ଉଲ୍ଲଂଘନ ହେଉଛି ସେଠାରେ ସରକାର ୧୪୪ ଧାରା ଲାଗୁ କରି ଦେଉଛନ୍ତି। ଏ ସରକାର ନିଜ ଲୋକଙ୍କ ଉପରେ ଲୁହା ଛଡ଼ରେ ଆକ୍ରମଣ କରିବାକୁ ପଛାଉ ନାହିଁ। ହେଲେ ଚୀନ୍‌ ସୈନିକମାନଙ୍କୁ ଶୂନ୍ୟ ହସ୍ତରେ ସ୍ବାଗତ କରୁଛି ବୋଲି ଅବଦୁଲ୍ଲା ଟିପ୍ପଣୀ ଦେଇଥିଲେ।