ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପିକୁ ଲଗାତାର ଝଟ୍କା ଲାଗିଛି। ଯୋଗୀ ସରକାରର ଆଉ ଜଣେ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଗତକାଲି ଉତ୍ତରପ୍ରଦେଶ କ୍ୟାବିନେଟରୁ ଶ୍ରମ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ୪ ଜଣ ବିଧାୟକ ବିଜେପିରୁ ଇସ୍ତଫା ଦେବାପରେ ଆଜି ମନ୍ତ୍ରୀ ଦାରା ସିଂହ ଚୌହାନ ଇସ୍ତଫା ଦେଇଛନ୍ତି। ଦାରା ସିଂହ ଚୌହାନ ଜଙ୍ଗଲ ଏବଂ ପରିବେଶ ବିଭାଗର ମନ୍ତ୍ରୀ ଥିଲେ। ସେ କହିଛନ୍ତି ଦଳିତ, ପଛୁଆବର୍ଗ ଏବଂ କୃଷକଙ୍କ ପ୍ରତି ସରକାରଙ୍କ ଅବହେଳା ଯୋଗୁ ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟପାଳଙ୍କ ପାଖକୁ ଲେଖିଥିବା ଇସ୍ତଫା ପତ୍ରରେ ଦାରା ସିଂହ କହିଛନ୍ତି, ମୋ ବିଭାଗର ଉନ୍ନତି ପାଇଁ ମୁଁ କଠିନ ପରିଶ୍ରମ କରିଛି କିନ୍ତୁ ଦଳିତ, ବେକାର ଯୁବକ, କୃଷକ ଏବଂ ପଛୁଆ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅବହେଳା ମନୋଭାବ ଦେଖିବାପରେ ମୁଁ ଇସ୍ତଫା ଦେବାପାଇଁ ବାଧ୍ୟ ହେଉଛି। ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଦାରା ସିଂହ ଦ୍ବିତୀୟ ଓବିସି ନେତାଭାବେ ଆଜି ଇସ୍ତଫା ଦେଇଛନ୍ତି।
ପୂର୍ବ ଉତ୍ତରପ୍ରଦେଶର ଚୌହାନ ୨୦୧୫ରେ ବିଏସ୍ପି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପି ଓବିସି ମୋର୍ଚ୍ଚାର ସେ ମୁଖ୍ୟ ଥିଲେ। ୨୦୧୭ ବିଧାନସଭା ନିର୍ବାଚନ ଜିତିବାପରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା। ୨୦୦୯-୧୪ ମଧ୍ୟରେ ସେ ବିଏସ୍ପିରେ ଥିବାବେଳେ ଲୋକସଭା ସାଂସଦ ଥିଲେ ଏବଂ ୧୯୯୦ ଦଶକରେ ସେ ରାଜ୍ୟସଭା ସାଂସଦ ଥିଲେ। ତେବେ ଦାରା ସିଂହ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ କହିଛନ୍ତି।
ବିଜେପିରେ ଯୋଗଦେଲେ ସପା ଓ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ : କଂଗ୍ରେସ ବିଧୟକ ନରେଶ ସାଇନି ଏବଂ ସମାଜବାଦୀ ପାର୍ଟି ବିଧାୟକ ହରି ଓମ୍ ଯାଦବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉଭୟ ସାଇନି ଏବଂ ଯାଦବ ପଛୁଆ ଜାତିର। ୨ ଦିନ ମଧ୍ୟରେ ବିଜେପି ଛାଡ଼ୁଥିବା ନେତାମାନେ ବିଜେପି ପଛୁଆ ଜାତିଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଥିବାବେଳେ ବିଜେପି ଆଜି ପୁଣି ପଛୁଆ ଜାତିର ୨ ନେତାଙ୍କୁ ଦଳରେ ସାମିଲ କରିଛି। ଉପରୋକ୍ତ ୨ ବିଧାୟକଙ୍କ ସହ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଧର୍ମପାଲ ସିଂହ ମଧ୍ୟ ଆଜି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।
ମୌର୍ଯ୍ୟଙ୍କ ବିରୋଧରେ ଗିରଫ ପରୱାନା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡ଼ିବାର ଦିନକ ପରେ ଆଜି ତାଙ୍କ ବିରୋଧରେ ୭ ବର୍ଷର ପୁରୁଣା ମାମଲା ସରକାର ଖୋଲିଛନ୍ତି। ଏହି ମାମଲାରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ୨୦୧୪ ମସିହାରେ ସେ ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଦେଇଥିବା ଏକ ଅପମାନଜନକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ମୌର୍ଯ୍ୟଙ୍କୁ ଆଜି କୋର୍ଟରେ ହାଜର ହେବାପାଇଁ କୁହାଯାଇଥିଲା। କିନ୍ତୁ ସେ ହାଜର ହୋଇନାହାନ୍ତି। ଆସନ୍ତା ୨୪ ତାରିଖରେ ତାଙ୍କୁ ପୁଣିଥରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମୌର୍ଯ୍ୟ ୨୦୧୪ରେ ଭଗବାନଙ୍କୁ ନେଇ ଏକ ଆପତ୍ତିଜନକ ଟିପ୍ପଣୀ ରଖିଥିଲେ। ମୌର୍ଯ୍ୟ କହିଥିଲେ ବିବାହ ସମୟରେ ମାତା ଗୌରୀ ଏବଂ ଭଗବାନ ଗଣେଶଙ୍କୁ ପୁଜା କରିବା ଉଚିତ୍ ନୁହେଁ। ଦଳିତ ଏବଂ ପଛୁଆ ଜାତିଙ୍କୁ ଦାସ କରି ରଖିବାପାଇଁ ଉଚ୍ଚ ଜାତି ଦ୍ବାରା ଏହା ଏକ ଷଡ଼୍ଯନ୍ତ୍ର ବୋଲି ସେ କହିଥିଲେ। ଏହି ମାମଲାରେ ଏବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/d54h6f4s65fh46f5hfhh.jpg)