ହାପୁର : ଉତ୍ତରପ୍ରଦେଶର ହାପୁରଠାରେ ଏକ ୪୦ ଫୁଟ ବୋରଓ୍ବେଲରେ ଖସିପଡ଼ିଥିବା ୬ ବର୍ଷର ଶିଶୁକୁ ସଫଳତାର ସହ ଉଦ୍ଧାର କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନଡିଆରଏଫ) ପକ୍ଷରୁ ପ୍ରାୟ ୫ରୁ ୭ ଘଣ୍ଟାର ଅପରେସନ ପରେ ଉକ୍ତ ଶିଶୁକୁ ଉଦ୍ଧାର କରିଛି । ଏହା ପରେ ସ୍ଥାନୀୟ ପ୍ରଶାସନ ଓ ଲୋକମାନେ ଆଶ୍ବସ୍ତ ହୋଇଛନ୍ତି ।
ଆଜି ଦିନବେଳେ ଶିଶୁଟି ଖେଳୁଥିବାବେଳେ ହାପୁରର କୋଟଲା ସଦତ ଅଂଚଳରେ ଥିବା ଏହି ପରିତ୍ୟକ୍ତ ବୋରଓ୍ବେଲରେ ଖସିପଡ଼ିଥିଲା । ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଥିଲା । ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ପ୍ରାୟ ୫ରୁ ୭ ଘଣ୍ଟା ଚାଲିବା ପରେ ଶେଷରେ ଶିଶୁକୁ ଉଦ୍ଧାର କରାଯାଇଥିଲା ।
ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଂଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।