ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଖାତକୁ ଖସିଲା ବସ୍: ୨ମୃତ, ୨୬ଆହତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଥିବା ଶେରଗଡି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଏକ ବସ୍ ନିୟନ୍ତ୍ରଣ ହରାଇ ଖାତକୁ ଖସିପଡିଥିବା ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ, ପୁଲିସ, ଆଇଟିବିପି ଯବାନ, ଫାୟାର ବ୍ରିଗେଡ, ୧୦୮ ଆମ୍ବୁଲାନ୍ସ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଆହତମାନଙ୍କୁ ଖାତରୁ ବାହାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଉଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ଜଣ ପ୍ରାଣ ହରାଇଥିବା ସାମ୍ନାକୁ ଆସିଛି।

ସୂଚନାନୁସାରେ, ଏହି ବସ୍ ଡେରାଡୁନ୍ ଆଡକୁ ଯାଉଥିବା ବେଳେ ଶେରଗଡି ନିକଟରେ ନିୟନ୍ତ୍ରଣ ହରାଇ ଖାତକୁ ଖସିପଡ଼ିଥିଲା। ସୂଚନା ପାଇବା ପରେ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବସ୍‌ରେ କେତେ ଜଣ ଯାତ୍ରୀ ଥିଲେ, ତା’ର ସୂଚନା ମିଳିନାହିଁ। ୧୫୦ଫୁଟ ଗଭୀର ଖାତରୁ ୨୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

କିଛି ଦିନ ପୂର୍ବରୁ କେରଳର ସାବରିମାଲା ମନ୍ଦିର ପରିଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କ ଏକ ବସ୍ ଖାତରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିଲା। କୁହାଯାଇଥିଲା ଯେ ଭକ୍ତମାନେ ମନ୍ଦିର ପରିଦର୍ଶନ କରି ବସ୍‌ରେ ବସି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ​।

ସମ୍ବନ୍ଧିତ ଖବର