ବେଶ୍ୟାବୃତ୍ତି ନ କରିବାରୁ ଯୁବତୀକୁ ହତ୍ୟା, ବିଜେପି ନେତାଙ୍କ ପୁଅ ଗିରଫ

ଡେରାଡୁନ : ଉତ୍ତରାଖଣ୍ଡର ପୌରି ଜିଲ୍ଲା ଋଷିକେଶ ନିକଟରେ ଥିବା ଏକ ରିସୋର୍ଟରେ ରିସେପ୍ସନିଷ୍ଟ ଭାବରେ କାର୍ୟ୍ୟ କରୁଥିବା ଜଣେ ୧୯ ବର୍ଷ ବୟସ୍କା ଯୁବତୀଙ୍କ ହତ୍ୟା ଅଭିଯୋଗରେ ବରିଷ୍ଠ ବିଜେପି ନେତା ବିନୋଦ ଆର୍ୟ୍ୟଙ୍କ ପୁଅ ପୁଲକିତ ଆର୍ୟ୍ୟଙ୍କୁ ଗିରଫ କରାଯାଇଛି ।

ରୋଚକ କଥା ହେଉଛି ସୋମବାର ଦିନ ପୁଲକିତ ନିଜେ ଯୁବତୀ ନିଖୋଜ ଥିବା ଅଭିଯୋଗ କରିଥିଲେ, କିନ୍ତୁ ପରେ ଜଣାପଡିଥିଲା ଯେ ସେ ଦୁଇଜଣ କର୍ମଚାରୀଙ୍କ ସାହାଯ୍ୟରେ ତାଙ୍କୁ ହତ୍ୟା କରିଛନ୍ତି  । ପୁଲକିତଙ୍କୁ ଏହି ହତ୍ୟାକାଣ୍ଡରେ ସହାୟତା କରିଥିବା ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ତେବେ ଯୁବତୀଙ୍କ ମୃତଦେହ ଏପର୍ୟ୍ୟନ୍ତ ମିଳିପାରି ନାହିଁ  । ବନନ୍ତ୍ର ନାମକ ଉକ୍ତ ରିସର୍ଟ ନିକଟସ୍ଥ ଏକ ଜଳ ଭଣ୍ଡାରରେ ମୃତଦେହ ଖୋଜାଖୋଜି ଚାଲିଛି ।

ତେବେ ଅଭିଯୁକ୍ତ ବିଜେପି ନେତା ଓ ମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ପୁଲିସ ତଦନ୍ତ ଓ କାର୍ୟ୍ୟାନୁଷ୍ଠାନରେ ବିଳମ୍ବ କରିଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି । କିନ୍ତୁ ପୁଲିସ ପକ୍ଷରୁ କୁହାଯାଇଛି ଯେ, ପୁଲିସ ପାଖକୁ ମାମଲା ବିଳମ୍ବରେ ଆସିଥିଲା । କାରଣ ଉତ୍ତରାଖଣ୍ଡର ନିୟମ ଅନୁସାରେ ଯେଉଁ ଅଂଚଳରେ ଥାନା ନାହିଁ, ସେଠାରେ ରାଜସ୍ବ ବିଭାଗର ଅଧିକାରୀ ( ପଟଓ୍ବାରି) ମାନଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥାଏ । ଏହି ମାମଲା ପ୍ରଥମେ ପଟଓ୍ବାରିଙ୍କ ନିକଟରେ ଦାଖଲ ହେବା ପରେ ପରେ ପୁଲିସ ନିକଟକୁ ଆସିଥିଲା ।

ପୁଲିସ ଏହି ହତ୍ୟାର ଉଦ୍ଦେଶ୍ୟ ଜାଣିବାକୁ ତଦନ୍ତ ଚଳାଇଛି । ତେବେ ଅଭିଯୋଗ ଅନୁସାରେ ଉକ୍ତ ଯୁବତୀକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଉଥିଲା । ସେ ରାଜି ନହେବାରୁ ହତ୍ୟା କରାଯାଇଛି ।

ସମ୍ବନ୍ଧିତ ଖବର