ନୂଆଦିଲ୍ଲୀ: ମେ’ ୨ ରୁ ଖୋଲିବ ବାବା କେଦାରନାଥଙ୍କ ଧାମ। ମେ’ ୪ ରୁ ହିଁ କେଦାରନାଥ ଏବଂ ବଦ୍ରିନାଥ ଧାମ ଯାତ୍ରା ପାଇଁ ବିମାନ ସେବା ଆରମ୍ଭ ହୋଇଯିବ। ତେବେ ଏହାରି ଭିତରେ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ସାଇବର ଅପରାଧୀ । ଲୋକଙ୍କୁ ବୋକା ବନାଇ ଟଙ୍କା ଲୁଟୁଥିବା ସାଇବର ଅପରାଧୀମାନେ ଏବେ ଠକିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି । ସାଇବର ଦୋସ୍ତ ନାଁରେ ଏକ ଏକ୍ସ ଆକାଉଣ୍ଟ୍ ଏଭଳି ସ୍କାମଠାରୁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛି । କେଦାରନାଥ ଏବଂ ସୋମନାଥ ଯାତ୍ରାରେ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ନକଲି ପୋର୍ଟାଲ୍ ଏବଂ ବିଜ୍ଞାପନଠାରୁ ଦୂରେଇ ରହିବାକୁ ଏହା କହିଛି ।
ନକଲି ୱେବସାଇଟ୍ ଏବଂ ବିଜ୍ଞାପନ ଜାଲରେ ନ ପଡ଼ିବା ପାଇଁ ସରକାରୀ ଏଜେନ୍ସି ଦ୍ବାରା ଅପରେଟ୍ କରାଯାଉଥିବା ‘ସାଇବର ଦୋସ୍ତ ୧୪ ସି’ ର ଏକ୍ସ ଆକାଉଣ୍ଟ୍ ପ୍ରକାଶ କରିଛି । ଅନେକ ନକଲି ୱେବସାଇଟ୍ ଏବଂ ବିଜ୍ଞାପନ କେଦାରନାଥ ଏବଂ ସୋମନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଧାର୍ମିକସ୍ଥଳ ଯିବା ଲାଗି ଲୋଭନୀୟ ଟୁର୍ ପ୍ୟାକେଜ୍ ଅଫର୍ କରୁଛନ୍ତି । ଏହା ଲୋକଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ । ସର୍ବଦା ଅଫିସିଆଲ୍ ୱେବସାଇଟ୍ ଜରିଆରେ ବୁକିଂ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ସାଇବର ଠକ ସାଧାରଣତଃ ଲୋକଙ୍କୁ ଠକିବା ପାଇଁ ଏକ ନକଲି ୱେବ୍ସାଇଟ୍ କିମ୍ବା ବୈଧ ମନେ ହେଉଥିବା ୱେବସାଇଟ୍ ପ୍ରସ୍ତୁତ କରିଥା’ନ୍ତି । ଏଠାରେ ସ୍କାମର୍ସ ବ୍ୟାଙ୍କ୍ ବିବରଣୀ ଦେବାକୁ କିମ୍ବା ପେମେଣ୍ଟ୍ କରିବାକୁ କହିଥା’ନ୍ତି । ଏହାପରେ ଖେଳ ଶେଷ । ଲୋକଙ୍କ ଆକାଉଣ୍ଟକୁ ଏକଦମ୍ ଖୋଳ କରିଦିଅନ୍ତି ଏମାନେ । ଏଭଳି ୱେବସାଇଟ୍ ଏବଂ ସ୍କାମରମାନଙ୍କଠାରୁ ବର୍ତ୍ତିବା ପାଇଁ ଲୋକେ ୟୁଆରଏଲର ବନାନ ଚେକ୍ କରିପାରିବେ । ସ୍କାମର୍ସ ସାଧାରଣତଃ ଏଭଳି ୟୁଆରଏଲ ଉପଯୋଗ କରନ୍ତି , ଯାହା ବୈଧ ୱେବସାଇଟ୍ ଅବିକଳ ଲାଗିଥାଏ ଏବଂ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଥା’ନ୍ତି ।