ଡେରାଡୁନ୍ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉପ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଯୋଗୁଁ ସାମ୍ବିଧାନିକ ସଙ୍କଟ ଏଡ଼ାଇବା ନିମନ୍ତେ ରାୱତ ତାଙ୍କ ପଦରୁ ଓହରିଯିବାପାଇଁ ନିଷ୍ପତ୍ତି ନେଇଥିଲେ। ବିଜେପି ସଭାପତି ଜେ ପି ନଡ୍ଡାଙ୍କ ସହ ଆଜି ଆଲୋଚନା ପରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ବିଜେପି ବିଧାୟକ ଦଳର ବୈଠକରେ ନୂଆ ନେତା ନିର୍ବାଚନ ହେବ। ନଡ୍ଡା ଏବଂ ରାୱତଙ୍କ ମଧ୍ୟରେ ଆଜି ୨ ଥର ବୈଠକ ହୋଇଥିଲା। ଗତ ବୁଧବାର ରାତିରେ ମଧ୍ୟ ରାୱତ ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ।
ତିରଥ ସିଂହ ରାୱତ ଗତ ମାର୍ଚ୍ଚ ୧୦ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ସେ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଶପଥ ଗ୍ରହଣ ସମୟରେ ସେ ଉତ୍ତରାଖଣ୍ଡ ବିଧାନସଭାରେ ଜଣେ ନିର୍ବାଚିତ ବିଧାୟକ ନଥିଲେ। ସେ ପୌରି ଗଡ଼ୱାଲ୍ ଆସନରୁ ଲୋକସଭା ସାଂସଦ ଥିଲେ। ବର୍ତ୍ତମାନ ମଧ୍ୟ ସେ ସାଂସଦ ଅଛନ୍ତି। ତେବେ ସମ୍ବିଧାନ ଅନୁଯାୟୀ ଜଣେ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ମାସ ମଧ୍ୟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ତିରଥ ସିଂହ ରାୱତଙ୍କ ପାଖରେ ସେପ୍ଟେମ୍ବର ୧୦ ଯାଏଁ ସମୟ ଥିଲା। ସେ ଉପନିର୍ବାଚନ ଦ୍ବାରା ରାଜ୍ୟ ବିଧାନସଭାକୁ ଏହି ସମୟ ମଧ୍ୟରେ ନିର୍ବାଚିତ ହୋଇପାରିଥାନ୍ତେ। କିନ୍ତୁ ବର୍ତ୍ତମାନର କୋଭିଡ୍ ମହାମାରୀ ସଙ୍କଟ ଭିତରେ ରାଜ୍ୟରେ ଉପନିର୍ବାଚନ ନେଇ ଅନିଶ୍ଚିତତା ଜାରି ରହିଛି। କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ୍ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଯେଉଁ କଡ଼ା ସମାଲୋଚନାର ଶିକାର ହୋଇଥିଲେ ସେ ଦୃଷ୍ଟିରୁ ବର୍ତ୍ତମାନ ଉତ୍ତରାଖଣ୍ଡରେ ଉପନିର୍ବାଚନ କରାଇବାକୁ କମିସନ ଚାହୁନାହାନ୍ତି। ତେବେ ଉପନିର୍ବାଚନ ଆଶା କ୍ଷୀଣ ହେବାରୁ ତିରଥ ସିଂହ ରାୱତଙ୍କ ସ୍ଥାନରେ ବିଜେପି ଆଉ ଜଣେ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/trivendra-singh-rawat-1574486861.jpg)