ଡେରାଡୁନ: ବାଦଲଫଟା ବର୍ଷା ପରେ ଡେରାଡୁନରେ ହୋଇଥିବା କ୍ଷୟକ୍ଷତି ଏବଂ ପ୍ରଳୟ ପରର ସ୍ଥିତି ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ମାଲଦେବତା ଅଞ୍ଚଳର କେସରଓ୍ଵାଲାରେ ବନ୍ୟା ଏବଂ ବାଦରଫଟା ବର୍ଷାରୁ ଆସିଥିବା ପ୍ରଳୟ ଜନିତ କ୍ଷତି ଦେଖିଛନ୍ତି ଧାମୀ । ପ୍ରକୃତିର ପ୍ରଳୟ ପରେ ଜେସିବିରେ ବସି ନିଜେ ମୁଖ୍ଯମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛନ୍ତି । ସହସ୍ତ୍ରଧାରା ଅଞ୍ଚଳରେ ୧୦୦ ମିଟର ଯାଏଁ ରାସ୍ତା ଧୋଇଯାଇଥିବା ବେଳେ ଉକ୍ତ ସ୍ଥାନରେ ସ୍ଥିତି ସମୀକ୍ଷା କରୁଛନ୍ତି । ପାଣି ଘେରରେ ଫସିଥିବା ଲୋକଙ୍କୁ କେମିତି ଶୀଘ୍ର ଉଦ୍ଧାର କରିହେବ ଏବଂ କ୍ଷତିର ଭରଣା କେମିତି ଜଲଦି ହେବ ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଧାମୀ । 

Advertisment

ଧାମୀ କହିଛନ୍ତି- ବାଦଲଫଟା ବର୍ଷା କାରଣରୁ ଅନେକ ଘର, ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୨୫ରୁ ୩୦ଟି ସ୍ଥାନରେ ରାସ୍ତା ପୂରା ଧୋଇଯାଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପରିସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ ଚାଲିଛି । ନଦୀର ଭୟଙ୍କର ରୂପ ଏବେବି ରହିଛି । ସକାଳେ ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ସ୍ଥିତିର ସୂଚନା ନେଇଛନ୍ତି । ସବୁ ପ୍ରକାର ସହାୟତା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଆମର ସବୁ ବିଭାଗ ଯୁଦ୍ଧକାଳୀନ ପରିସ୍ଥିତିରେ ଉଦ୍ଧାର କାମ କରୁଛନ୍ତି ।

ସେପଟେ ସହସ୍ତ୍ରଧାରା ଅଞ୍ଚଳରେ ବାଦଲଫଟା ବର୍ଷା କାରଣରୁ ଲୋକେ ବେଘର ହେବା ସହ ଅନେକ କ୍ଷତି ହୋଇଛି । ରାସ୍ତାରେ ଛିଡା ହୋଇଥିବା କାର ସବୁରେ କାଦୁଅ ପାଣି ମାଡିଯାଇଛି । ଲୋକେ ଘର ଛା଼ଡି ସୁରକ୍ଷିତ ସ୍ଥାନକୁ ଆସୁଛନ୍ତି । ଜରୁରୀ ଜିନିଷ ପତ୍ର ଧରି କ୍ୟାମ୍ପକୁ ଯାଉଛନ୍ତି । ସ୍ଥାନାନ୍ତରିତ ହେଉଥିବା ଜଣେ ସ୍ଥାନୀୟ ଲୋକଙ୍କ କହିବା କଥା- ଗତ ରାତିରେ ଭୟଙ୍କର ଥିଲା ପରିସ୍ଥିତି । ମୁଁ ଡ୍ୟୁଟିରେ ଥିଲି, ହଠାତ୍ ଆକାଶରେ ବଡ ବିଜୁଳି ଭଳି ଚମକ ଉଠିଲା । ପିଲା ଛୁଆ ସବୁଙ୍କୁ ମନ୍ଦିରକୁ ପଠେଇ ଦେଇଥିଲି । ସେମାନେ ସେଠାରେ ରାତି କାଟିଲେ । ଆଉ ଆଜି ସ୍ଥିତି ଗମ୍ଭୀର ଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡୁଛି ।

ଅନ୍ୟଜଣେ ସ୍ଥାନୀୟ ଯୁବତୀ କହିଛନ୍ତି- କାଲି ରାତି ପ୍ରାୟ ୧୧ଟା ବେଳେ ଆମେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଲୁ, ସତେକି ପାହାଡ଼ ଧସି ପଡ଼ିଲା ପରି ଲାଗିଲା । କିନ୍ତୁ ସକାଳେ ଆମେ ଜାଣିବାକୁ ପାଇଲୁ ଯେ ଆମ ଘର ମଧ୍ୟ ଭାସି ଯାଇଛି। ଆମେ ଆମ ଘରୁ ଯଥାସମ୍ଭବ ଜିନିଷପତ୍ର ବାହାର କରିଥିଲୁ କିନ୍ତୁ ଘରକୁ ପ୍ରକୃତିର ପାଟିରୁ ରକ୍ଷା କରି ପାରିଲୁ ନାହିଁ । ତା'ପରେ ଆମ ଘର ପଛରେ ଥିବା ପାହାଡ଼ ଧସିଗଲା । ପୋଲ ଭାଙ୍ଗିଗଲା ଏବଂ ତିନି ଜଣ ଲୋକ ପାହାଡ ତଳେ ପୋତି ହୋଇଗଲେ। କୌଣସି ପ୍ରକାରେ ଆମେ ନିଜକୁ ବଞ୍ଚାଇଲୁ ସତ କିନ୍ତୁ ସବୁକିଛି ହରେଇଦେଲୁ ବୋଲି ଯୁବତୀ ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି ।