ଉତ୍ତରାଖଣ୍ଡ ବନ୍ୟା ବିଭୀଷିକା: ଗଙ୍ଗା ତଟବର୍ତ୍ତୀ ୩୫୦ ଗ୍ରାମ ବିପଦରେ, ଧୋଇଗଲା ଋଷିଗଙ୍ଗା ପ୍ରକଳ୍ପ

ଜଳବିଦ୍ୟୁତ ପ୍ରକଳ୍ପ ବନ୍ଧ ଭାଙ୍ଗିବାରୁ ସମସ୍ୟା ବଢ଼ିଲା, ୟୁପିରେ ହାଇଆଲର୍ଟ, ଗଂଗା ତଟକୁ ନଯିବାକୁ ଚେତାବନୀ

ଡେରାଡୁନ୍: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଅଂଚଳରେ ଆଜି ଗ୍ଲାସିୟର ଫାଟି ଅତଡ଼ା ଧସିବା ପରେ ତଳ ଅଂଚଳରେ ନାହିଁ ନଥିବା ବିପର୍ଯ୍ୟୟ ଘଟିଛି। ଏହାକୁ ନେଇ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ଗଂଗା ନଦୀ ତଟବର୍ତ୍ତୀ ୩୫୦ ଗ୍ରାମ ପାଇଁ ବିପଦ ଆଶଙ୍କା ରହିଛି। ତଟ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ପାଖକୁ ନଯିବା ପାଇଁ କୁହାଯାଇଛି। ପ୍ରଶାସନ ତେହରି ଡ୍ୟାମ୍‌ରୁ ଜଳ ପ୍ରବାହ ବନ୍ଦ ରଖିଛି ଏବଂ ଯଥା ସମ୍ଭବ ଡ୍ୟାମ୍‌ରେ ପାଣି ଅଟକାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୁଦ୍ରପ୍ରୟାଗରେ ହାଇ ଆଲର୍ଟ ଜାରି ହେବା ସହ ଲୋକଙ୍କୁ ବିଭିନ୍ନ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି।

ଋଷିକେଶ ଏବଂ ହରିଦ୍ବାରରେ ଲୋକଙ୍କୁ ଗଂଗା ତଟକୁ ନଯିବା ପାଇଁ ଚେତାବନୀ ଜାରି କରାଯାଇଛି। ହରିଦ୍ବାରରେ କୁମ୍ଭମେଳା ଆୟୋଜନ ପାଇଁ ଭିଡ଼ ଜମିଥିବାରୁ ଲୋକଙ୍କୁ ନିର୍ଦ୍ଧାରିତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଆଗାମୀ ୭୨ ଘଣ୍ଟା ମଧ୍ୟରେ ଗଂଗାର ଜଳସ୍ତର ବଢ଼ିବା ଆଶଙ୍କା ଥିବାରୁ ଅଧିକ ସମ୍ବେଦନଶୀଳ ଅଂଚଳରୁ ଗ୍ରାମବାସୀଙ୍କୁ ଖାଲି କରାଯାଇଛି। ଗ୍ଲାସିୟର ଫାଟିବା ପରେ ରାଇନି ଗ୍ରାମ ନିକଟରେ ଋଷିଗଂଗା ତପୋବନ ଜଳବିଦ୍ୟୁତ ପ୍ରକଳ୍ପର ବନ୍ଧ ଭାଙ୍ଗିଯିବାରୁ ବନ୍ୟ ସଙ୍କଟ ଭୟାନକ ରୂପ ନେଇଥିବା ଜଣାପଡ଼ିଛି। ଏହି ବନ୍ଧ ଭାଙ୍ଗିଯିବା ପରେ ଧଉଳି ଗଂଗା ନଦୀରେ ଅଚାନକ ଭୀଷଣ ବନ୍ୟା ଆସିବାରୁ କ୍ଷୟକ୍ଷତି ବଢ଼ିଯାଇଛି। ଚମୋଲି ଜିଲ୍ଲାରେ ଶତାଧିକ ଘର ନିଶ୍ଚିହ୍ନ ହୋଇଯାଇଥିବା ଆଶଙ୍କା କରାଯାଉଛି। ରାଇନିରୁ ଯୋଶୀମଠ ପର୍ଯ୍ୟନ୍ତ ଅଂଚଳରେ ଘଟିଥିବା ବଡ଼ ବିପର୍ଯୟର ଆକଳନ ପାଇଁ ଅନେକ ଦିନ ଲାଗିଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର