ଉତ୍ତରାଖଣ୍ଡ ହିମସ୍ଖଳନ ମନେପକାଇ ଦେଲା ୮ ବର୍ଷ ତଳର କେଦାରନାଥ ମହାପ୍ରଳୟ

ନୁଆଦିଲ୍ଲୀ: ଉତ୍ତରାଖଣ୍ଡରେ ଜଳପ୍ରଳୟ । ଚାରିଆଡେ କେବଳ ସୁ ସୁ ଗର୍ଜନ ଆଉ ମାଟି ପାଣି ଏକାକାର । ଏହି ଚିତ୍ରରୁ ହିଁ ଆପଣ ବୁଝି ପାରୁଥିବେ ଏହା କେତେ ଭୟାନକ ହୋଇଥିବ । ଆଉ କେତେ ଲୋକ ଏଥିରେ ଜୀବନ ହାରିଥିବେ ।

ପାହାଡ ଉପରୁ ପବନ ବେଗରେ ମାଡି ଆସିଥିଲା ପାଣି । ଆଉ ଛାରଖାର ହେଇଯାଇଥିଲା ଜନଜୀବନ । ଘର, ବାଡି ସବୁକିଛି ତା’ ଗର୍ଭରେ ଲୀନ ହେଇଯାଇଥିଲା । ଏ ଦୃଶ୍ୟ ହେଉଛି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଜୋସିମଠ ଅଞ୍ଚଳର । ଯେଉଁଠି ପ୍ରକୃତି ଦେଖାଇଛି ନିଜର ଭୟଙ୍କର ରୂପ । ଆଉ ଜୀବନ ହାରିଛନ୍ତି ବହୁ ଲୋକ ।

ରବିବାର ଭୟଙ୍କର ହିମସ୍ପଳନ ଫଳରେ ଉତ୍ତରାଖଣ୍ଡର ଜୋସିମଠ ନିକଟରେ ହଠାତ୍ ପାହାଡ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସିଥିଲା । ଆଉ ଭାସି ଯାଇଥିଲା ପୂରା ଗାଁ । ଏଥିରେ ରିଷିଗଙ୍ଗା ପାୱାର ପ୍ରୋଜେକ୍ଟ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେଠାରେ କାମ କରୁଥିବା ଅନେକ ଶ୍ରମିକ ମଧ୍ୟ ଜଳସ୍ରୋତରେ ଭାସି ଯାଇଥିଲେ ।

କେବଳ ଏହିଥରକ ନୁହେଁ । ଏହାପୂର୍ବରୁ ମଧ୍ୟ ୨୦୧୩ ମସିହାରେ ଉତ୍ତରାଖଣ୍ଡ ଜଳପ୍ରଳୟ ଦେଖିଥିଲା । ଘର, ଦ୍ୱାର, ବଡ ବଡ କୋଠା ଏପରିକି ଭଗବାନ ମଧ୍ୟ ଏହି ଜଳପ୍ରଳୟର ଶିକାର ହୋଇଥିଲେ । ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ସେତେବେଳେ ପାଖାପାଖି ୫ ହଜାରରୁ ଅଧିକ ଲୋକ ନିଜର ପ୍ରାଣ ହରାଇଥିଲେ ।

ସେତେବେଳେ ବାଦଲ ଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡରେ ଅଚାନକ ବନ୍ୟା ଭଳି ସ୍ଥିତି ଉପୁଜିଥିଲା । ଯାହା ଫଳରେ ପ୍ରସିଦ୍ଧ କେଦାରନାଥ ମନ୍ଦିର ଜଳରେ ବୁଡିବା ସହିତ ଏହାର ଆଖପାଖ ଅଞ୍ଚଳ ଛାରଖାର୍ ହୋଇଯାଇଥିଲା । ଏବେ ପୁଣି ଥରେ ପ୍ରକୃତିର ଏହି ତାଣ୍ଡବ ରୂପକୁ ଦେଖିବାକୁ ମିଳିଛି । ଆଉ ଉତ୍ତରଖଣ୍ଡର ଏପରି ସ୍ଥିତିରେ ସାରା ଦେଶ ତା’ ସହ ଛିଡା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ସେତିକି ନୁହେଁ, ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଉଭୟ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ସରକାର ୪ ଲକ୍ଷ ଲେଖାଏଁ ଓ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ।

ସମ୍ବନ୍ଧିତ ଖବର