ଉତ୍ତରାଖଣ୍ଡ ତୁଷାରଖଣ୍ଡ ସ୍ଖଳନ: ଉଦ୍ଧାର କାର୍ଯ୍ୟ ଲାଗି ‘ମ୍ୟାଚ୍‌ ଫି’ ଦାନ କରିବେ ଋଷଭ ପନ୍ତ

ଚେନ୍ନାଇ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ତୁଷାରଖଣ୍ଡ ସ୍ଖଳନ ଯୋଗୁଁ ଘଟିଥିବା ବିପର୍ଯ୍ୟୟ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ଭାରତୀୟ ଓ୍ଵିକେଟ୍‌କିପର୍‌-ବ୍ୟାଟ୍‌ସ୍‌ମ୍ୟାନ୍‌ ଋଷଭ ପନ୍ତ ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ୍‌ ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‌ ବାବଦକୁ ପ୍ରାପ୍ତ ଅର୍ଥରାଶି ଦାନ କରିବେ।

ଏହି ବିଶାଳ ତୁଷାରଖଣ୍ଡ ଧସିପଡ଼ିବା ଘଟଣାରେ ଅନ୍ୟୂନ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି କେତେ ଜଣଙ୍କର ପତ୍ତା ମିଳୁନାହିଁ। ଏହି ଆକସ୍ମିକ ବିପର୍ଯ୍ୟୟ ଯୋଗୁଁ ଧଉଳି ଗଙ୍ଗା, ଋଷି ଗଙ୍ଗା ଏବଂ ଅଳକାନନ୍ଦା ଆଦି ନଦୀମାନଙ୍କରେ ରବିବାର ଦିନ ପ୍ରବଳ ବନ୍ୟା ଆସିଥିଲା।

Image Courtesy of India Today

ନିଖୋଜ ହୋଇଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି ‘ଏନ୍‌ଟିପିସି’ର ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ଋଷିଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପର କର୍ମଚାରୀ। ଜଳ ପ୍ରାବଲ୍ୟ ଯୋଗୁଁ ଏ ଦୁଇଟି ପ୍ରକଳ୍ପ ସମ୍ପୂର୍ଣ୍ଣରୂପେ ଧୋଇ ଯାଇଛି।

ଉଦ୍ଧାର ଅଭିଯାନରେ ସହାୟତା କରିବା ଲାଗି ଉତ୍ତରାଖଣ୍ଡର ବାସିନ୍ଦା ପନ୍ତ ଟୁଇଟ୍‌ କରି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ପ୍ରାଣହାନୀ ଯୋଗୁଁ ଖୁବ୍‌ ବ୍ୟଥିତ। ଉଦ୍ଧାର ଅଭିଯାନରେ ସହାୟତା ପାଇଁ ମୋର ମ୍ୟାଚ୍‌ ବାବଦକୁ ପ୍ରାପ୍ୟ ଦାନ କରିବି। ସହାୟତା କରିବା ନିମନ୍ତେ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିବେଦନ କରୁଛି।

ସମ୍ବନ୍ଧିତ ଖବର