ଉତ୍ତରାଖଣ୍ଡ ଗ୍ଲାସିୟର୍‌ ବିପର୍ଯ୍ୟୟ: ଚମୋଲିରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ

ଝୁଲନ୍ତା ହିମଶୈଳ ଖସିବା ଯୋଗୁଁ ବନ୍ୟା ବିପର୍ଯ୍ୟୟ: ବିଶେଷଜ୍ଞ କମିଟି

ଡେରାଡୁନ୍‌: ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଜଳ ପ୍ରଳୟ ପରେ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଆଜି ତ୍ବରାନ୍ବିତ ହୋଇଛି। ଏଥିରେ ବାୟୁସେନାର ୫ଟି ଚିନୁକ୍‌ ହେଲିକପ୍‌ଟର ନିୟୋଜିତ ହୋଇଛି। ଗ୍ଲାସିୟର ଫାଟିବାରୁ ଆସିଥିବା ବନ୍ୟାରେ ସଂପୂର୍ଣ୍ଣ ଋଷିଗଂଗା ପ୍ରକଳ୍ପ ଧୋଇ ହୋଇଯାଇଥିବା ବେଳେ ଏଥିରେ ୧୭୦ ଜଣ ଏବେ ବି ନିଖୋଜ ଅଛନ୍ତି । ଜଳ ବିଦ୍ୟୁତ ପ୍ରକଳ୍ପ ଟନେଲ୍‌ ଭିତରେ ଫସିଥିବା ୩୯ ଜଣଙ୍କ ଉଦ୍ଧାର ପାଇଁ ଆଇଟିବିପି, ଏନ୍‌ଡିଆର୍‌ଏଫ୍‌ ଓ ସେନା ପକ୍ଷରୁ ଅଭିଯାନ ଜାରି ରହିଛି। ଆଜି ଟନେଲ୍‌ ଭିତରେ ପାଣି କମିବା ପରେ ଅଭିଯାନ ଜୋର୍‌ଦାର କରାଯାଇଛି । ଗତକାଲି ପ୍ରବଳ ମାତ୍ରାରେ କାଦୁଅ ଓ ପାଣି ଟ‌ନେଲ୍‌ରେ ଭରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଇଟିବିପିର ୫ ଶହ ଯବାନଙ୍କ ସମେତ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ‌ଅଛନ୍ତି।

ଝୁଲନ୍ତା ହିମଶୈଳ ଖସିବା ଯୋଗୁଁ ବନ୍ୟା ବିପର୍ଯ୍ୟୟ: ବିଶେଷଜ୍ଞ କମିଟି
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୫,୬୦୦ ମିଟର ଉପରେ ରହିଥିବା ଏକ ଝୁଲନ୍ତା ହିମଶୈଳ (ଗ୍ଲାସିୟର)ରୁ ଏକ ବିରାଟ ହିମଖଣ୍ଡ ଛିଣ୍ଡି ଯାଇ ତଳକୁ ଖସି ଆସିବାରୁ ପଥର ଓ ମାଟି ସହ ମାଡ଼ି ଆସିଥିବା ହିମପ୍ରବାହ ଯୋଗୁ୍ଁ ହିଁ ଋଷିଗଙ୍ଗା ନଦୀର ତଳମୁଣ୍ଡରେ ଚାମୋଲି ଜିଲ୍ଲାରେ ଏପରି ବନ୍ୟା ବିଭୀଷିକା ଦେଖିବାକୁ ମିଳିଲା ବୋଲି ପ୍ରାଥମିକ ଅନୁଧ୍ୟାନରୁ ବିଶେଷଜ୍ଞମାନେ ମତ ରଖିଛନ୍ତି। ସୂଚନା ଥାଉ କି, ୧୪ ବର୍ଗ କିମି ପରିମିତ ହିମପ୍ରବାହ ଯୋଗୁ୍ଁ ସଂଗଠିତ ଏହି ଦୁର୍ବିପାକ ପଛରେ ରହିଥିବା କାରଣ ଖୋଜାଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ସୂଚନା ଦେବାର ଦୁଇ ଦିନ ପରେ ବିଶେଷଜ୍ଞମାନେ ଏପରି କାରଣ କହିଛନ୍ତି। ଅପରପକ୍ଷେ, ୩୪ ଜଣଙ୍କର ଜୀବନ ନେବା ସହ ୨୦୦ରୁ ଅଧିକ ଲୋକଙ୍କୁ ନିଖୋଜ କରିଥିବା ଏହି ବିଭୀଷିକା ପଛରେ ପାଗ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଭାବେ ଏବେଠୁ ଦାୟୀ କରାଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସେହିପରି ନନ୍ଦାଦେବୀ ହିମଶୈଳ ଫାଟିନଥିଲା ବୋଲି ଇନ୍ଦୋର ଆଇଆଇଟିର ପ୍ରାଧ୍ୟାପକ ମହମ୍ମଦ ଫାରୁକ୍‌ ଆଜାମ୍‌ କହିଛନ୍ତି। ବିଜ୍ଞାନରେ ହିମଶୈଳ ଫାଟିବା ଭଳି କୌଣସି ପ୍ରକ୍ରିୟା ନାହିଁ। ସୁତରାଂ ଏତେ ଉଚ୍ଚରେ ରହିଥିବା ଏହି ହିମଶୈଳ ଏପରି ଖସି ଆସିଥିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ତେବେ ଖସି ଆସିଥିବା ହିମଖଣ୍ଡ ମୂଳ ହିମଶୈଳରେ ଲାଖି ନରହିବା ପଛରେ ପାଗ ପରିବର୍ତ୍ତନର ଭୂମିକା ଥାଇପାରେ।

ସମ୍ବନ୍ଧିତ ଖବର