ଉତ୍ତରାଖଣ୍ଡ ଗ୍ଲାସିୟର୍‌ ବିପର୍ଯ୍ୟୟ: ୨୦୦ରୁ ଅଧିକ ନିଖୋଜ, ୨୬ ଶବ ଉଦ୍ଧାର

ଟନେଲ୍‌ରେ ଫସିଥିବା ୩୯ ଜଣଙ୍କୁ ଉଦ୍ଧାର ପାଇଁ ବିଶାଳ ଅଭିଯାନ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଗତକାଲି ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ସନ୍ଧ୍ୟା ସୁଦ୍ଧା ୨୬ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ମଧ୍ୟରେ ଏନ୍‌ଟିପିସିର ୧୭୦ ଜଣ ଶ୍ରମିକ କର୍ମଚାରୀ ଅଛନ୍ତି। ଅଳକନନ୍ଦା ଏବଂ ଧଉଳିଗଂଗା ନଦୀରେ ଆସିଥିବା ବନ୍ୟା ଋଷିଗଂଗା ଜଳବିଦ୍ୟୁତ ପ୍ରକଳ୍ପକୁ ସଂପୂର୍ଣ୍ଣ ପୋଛି ନେଇଛି ଏବଂ ଏହି ପ୍ରକଳ୍ପରେ ନିୟୋଜିତ ଶତାଧିକ ଶ୍ରମିକ-କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ନଦୀ ପ୍ରବାହ ଅଂଚଳରେ ଆସୁଥିବା ଗ୍ରାମଗୁଡ଼ିକରେ ଆତଙ୍କ ଲାଗି ରହିଛି। ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ଜଳ ବିଦ୍ୟୁତ ପ୍ରକଳ୍ପର ଏକ ଟନେଲ୍‌ର ଧ୍ବଂସାବଶେଷ ଭିତରେ ପୋତି ହୋଇ ରହିଥିବା ୩୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ବିଶାଳ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଆଇଟିବିପିର ୩ ଶହ ଯବାନ ଏବଂ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ୨ ଶହ ସଦସ୍ୟ ନିୟୋଜିତ ଅଛନ୍ତି। ପ୍ରାୟ ଅଢ଼େଇ କିମ୍ବ ଲମ୍ବ ଏହି ଟନେଲରେ ୧ କିମି ଅଂଚଳ ସଂପୂର୍ଣ୍ଣ ପୋତି ହୋଇଯାଇଛି। ଧ୍ବଂସାବଶେଷ ଭିତରୁ ଜୀବନର ସନ୍ଧାନ କରିବା ଉଦ୍ଧାରକାରୀ ଦଳ ପାଇଁ ବହୁତ ବଡ଼ ଚ୍ୟାଲେଂଜ ହୋଇଛି।

ଗତକାଲି ପୂର୍ବାହ୍ନ ୧୧ଟା ବେଳେ ଚମୋଲି ଜିଲ୍ଲା ସ୍ଥିତ ନନ୍ଦା ଦେବୀ ‌ଗ୍ଲାସିୟରରେ ବିଶାଳ ବରଫ ଖଣ୍ଡ ଫାଟି ଯିବାରୁ ଅଳକନନ୍ଦା ଏବଂ ଧଉଳିଗଂଗାରେ ବଡ଼ ବନ୍ୟା ଆସିଥିଲା। ଏଥିରେ ତପୋବନ ଅଂଚଳ ଛାରଖାର ହୋଇଯିବା ସହ ଋଷିଗଂଗା ପ୍ରକଳ୍ପ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଗୃହ ମନ୍ତ୍ରାଳୟ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପର୍କରେ ଅଛନ୍ତି। ଆଜି ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଓ ତତ୍କାଳ ସହାୟତା ପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି। ତପୋବନ ଅଂଚଳରେ ଦୁଇଟି ଜଳ ବିଦ୍ୟୁତ ପ୍ରକଳ୍ପ ନଷ୍ଟ ହୋଇଯାଇଥିବାରୁ ଆଗକୁ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ମଧ୍ୟ ଏଭଳି ପ୍ରକଳ୍ପକୁ ବିରୋଧ କରିଛନ୍ତି। ପ୍ରକୃତିକୁ ଧ୍ବଂସ କରିବାର ପରିଣତି ଏବେ ଭୋଗିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି। ଅତି ସମ୍ବେଦନ ଅଂଚଳରେ ଏତେ ବଡ଼ ନିର୍ମାଣ କାର୍ଯ୍ୟକୁ ସରକାର କିଭଳି ମଂଜୁରି ଦେଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର