ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷା ତାଣ୍ଡବ ରଚିଛି। ଏହାଦ୍ବାରା ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି । ଉତ୍ତରାଖଣ୍ଡରେ ବର୍ଷା ଜଳରେ ଭାସିଯାଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।

Advertisment

ସୂଚନାଯୋଗ୍ୟ, କେଦାରନାଥରୁ ଋଷିକେଶ ଆସୁଥିବା ବେଳେ ଏକ କାର ଗଙ୍ଗା ନଦୀରେ ଭାସିଯାଇଥିଲା। ଏହି କାରଣରୁ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ରହିଛି। ଏହି ଗାଡ଼ିରେ ମୋଟ ୧୧ଜଣ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏମିତି ଆଉ ଏକ ଘଟଣା ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି। ଏଠାରେ ପ୍ରବଳ ବର୍ଷା ହେତୁ ନଦୀ ନାଳ ସବୁ ବର୍ଷା ପାଣିରେ ଭରି ଯାଇଛି। ଏଥିସହିତ ନାଳରେ ଯାଉଥିବା ବର୍ଷା ପାଣିର ବି ସ୍ରୋତ ପ୍ରଖର ରହିଛି।

ପ୍ରବଳ ବର୍ଷା ସମୟରେ ହିମାଞ୍ଚଳ ସଡ଼କ ପରିବହନ ନିଗମର ବସ ଶିମଲା ବାଇପାସ ରୋଡ‌ସ୍ଥିତ ରାମଗଢ଼ ନିକଟରେ ଥିବା ଏକ ନାଳରେ ଫସି ଯାଇଥିଲା। ବସ ବର୍ଷା ପାଣିରେ ଫସିଯିବା ପରେ ଏଥିରେ ବସିଥିବ‌ା ୩୦ରୁ ଅଧିକ ଯାତ୍ରୀ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଜୀବନ ବଞ୍ଚାଇବାକୁ ବସରୁ ସେମାନେ ଓହ୍ଳାଇ ବି ପାରୁ ନଥିଲେ। ତେଣୁ କିଛି ଯାତ୍ରୀ ବସ ଝରକା ପାର୍ଶ୍ବ ଦେଇ ବସ ଛାତକୁ ଚଢ଼ିଯାଇଥି‌ଲେ।

ଏହି ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।