ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସିଭିଲ୍‌ କୋଡ୍‌ ଚିଠା ବିଲ୍‌ରେ ବହୁବିବାହକୁ ନିଷିଦ୍ଧ କରାଯାଇଥିବା ବେଳେ ଲିଭ୍‌-ଇନ୍‌ ସଂପର୍କର ପଂଜୀକରଣ କରାଯିବାକୁ ପ୍ରାବଧାନ ରଖାଯାଇଛି। ରାଜ୍ୟ ସରକାର ଏହି ଚିଠା ବିଲ୍‌ ଉପସ୍ଥାପନ କରିବା ପାଇଁ ଖୁବ୍‌ଶୀଘ୍ର ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଆରମ୍ଭରୁ ସମାନ ସିଭିଲ୍‌ କୋଡ୍‌ ପାଇଁ ଚିଠା ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ଏବେ ଏହା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ବରେ ଗଠିତ କମିଟି ଏହି ଚିଠା ପ୍ରସ୍ତୁତ କରିଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ନାଗରିକଙ୍କ ସହିତ ବିଚାର ବିମର୍ଶ କରାଯାଇଛି। ଚିଠା ପ୍ରସ୍ତୁତି ପାଇଁ ୨ ଲକ୍ଷରୁ ଅଧିକ ଲୋକଙ୍କ ମତାମତ ନିଆଯାଇଥିଲା ଏବଂ ପ୍ରମୁଖ ହିତଧାରକଙ୍କ ସହିତ ଆଲୋଚନା କରାଯାଇଥିଲା।

Advertisment

ସମାନ ନାଗରିକ ସଂହିତା ଆଇନ ଭାରତର ପ୍ରତ୍ୟେକ ନାଗରିକଙ୍କ କ୍ଷେତ୍ରରେ ସମାନ ଆଇନକୁ ପ୍ରତିନିଧିତ୍ବ କରିଥାଏ ଏବଂ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ମାମଲା ସହିତ ପୋଷ୍ୟସନ୍ତାନ ଗ୍ରହଣ ଏବଂ ଅନ୍ୟ ବ୍ୟକ୍ତିଗତ ମାମଲାର ସମାଧାନ ପାଇଁ ଧର୍ମକୁ ଆଧାର କରିନଥାଏ। ବିଜେପି ପୂର୍ବ ଘୋଷଣା ମୁତାବକ ଏବେ ଉତ୍ତରାଖଣ୍ଡରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ଦେଖାଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।