ତେହରୀ: ୪୫ମିନିଟ ପର୍ଯ୍ୟନ୍ତ ଅଟକି ରହିଲା କେବୁଲ କାର୍। ସୁରକ୍ଷିତ ଭାବେ ଉଦ୍ଧାର ହେଲେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର୍ଯ୍ୟଟକ। ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ଅତି କମରେ ୬୦ଜଣ ପର୍ଯ୍ୟଟକ ଏକ କେବୁଲ କାରରେ ୪୫ମିନିଟ ପାଇଁ ଫସି ରହିବା ଖବର ଏବେ ଚର୍ଚ୍ଚାରେ ରହିଛି। ବୈଷୟିକ ତ୍ରୁଟି କାରଣରୁ କେବୁଲ କାରଟି ମଝିରେ ଅଟକି ଯାଇଥିଲା ବୋଲି ଜଣାପଡ଼ିଛି। ତେବେ ତେହରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ରହିଥିବା କେବୁଲ କାରରୁ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି।
ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପ ୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି। ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର ଉପାଧ୍ୟାୟ କହିଛନ୍ତି ଯେ ମଧ୍ୟଭାଗରେ ରୋପୱେ ଅଟକିଯିବା ଏକ ଗୁରୁତର ପ୍ରସଙ୍ଗ। ଆମେ କାହାର ଜୀବନକୁ ବିପଦରେ ପକାଇ ପାରିବୁ ନାହିଁ। ମୁଁ ରୋପୱେ ଅପରେଟର ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିବି। ଏଥିସହ ସେ କହିଛନ୍ତି ଯେ, ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେନେଇ ପ୍ରଶାସନ ନିଶ୍ଚିତ କରିବା ଉଚିତ।
/sambad/media/post_attachments/49917f2a8840b7e4c8d98539d7a39f9183e3fdf4c7e4f2ee9eca731a960a1879.jpeg)
ତେବେ ଏହା ପ୍ରଥମ ନୁହେଁ ମେ’ ମାସରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା ମଧ୍ୟପ୍ରଦେଶର ସତନା ଜିଲ୍ଲାରେ। ହେଲେ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଜୁନ ମାସରେ ବୈଷୟିକ ତ୍ରୁଟି ଯୋଗୁ ହିମାଚଳ ପ୍ରଦେଶର ପାରୱାନୁଠାରେ ଏକ କେବୁଲ କାରରେ ୧୧ ଜଣ ପର୍ଯ୍ୟଟକ ପ୍ରାୟ ୩ ଘଣ୍ଟା ଧରି ଫସି ରହିଥିଲେ। ୩ ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।