ଉତ୍ତରାଖଣ୍ଡ ବନ୍ୟା : ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ପ୍ରବଳ ବର୍ଷା ଯୋଗୁଁ ବୁଧବାର ସକାଳ ସୁଦ୍ଧା ରାଜ୍ୟରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏବେ ବି ୧୧ ଲୋକ ନିଖୋଜ ଅଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ଦେଖାଦେଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ମଧ୍ୟରୁ ଅନ୍ୟତମ କୁମାୟୁଁ ଗସ୍ତ କରିଛନ୍ତି । ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବା ପରେ ସେ କହିଛନ୍ତି ଯେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ଓ ସ୍ବାଭାବିକତା ଫେରିବାକୁ କିଛି ଦିନ ଲାଗିଯିବ । ରିଲିଫ ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତି ଜିଲ୍ଲାକୁ ୧୦ କୋଟି ଲେଖାଏଁ ମଂଜୁର କରିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ସେନା, ଏନଡିଆରଏଫ ଓ ସ୍ଥାନୀୟ ପ୍ରଶାସନକୁ ନିୟୋଜିତ କରାଯାଇଛି ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ କହିଛି ଯେ ବୁଧବାରଠାରୁ ଉତ୍ତରାଖଣ୍ଡରେ ବର୍ଷା ପରିମାଣ କମିବ ଓ ଆସନ୍ତା ପ୍ରାୟ ଏକ ସପ୍ତାହ ଶୁଖିଲା ପାଗ ରହିବ । ଏହା ଫଳରେ ରାଜ୍ୟରେ ବନ୍ୟା ସ୍ଥିତିରେ ଉନ୍ନତି ଆସିବାର ଆଶା ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଗତ କାଲି ନୈନିତାଲର ରାମନଗର-ରାଣୀକ୍ଷେତ ରୁଟରେ ଥିବା ଲେମନ ଟ୍ରି ରିଜୋର୍ସରେ ଫସିରହିଥବା ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

 

 

ସମ୍ବନ୍ଧିତ ଖବର