ଡେରାଡୁନ୍‌: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। ଗତକାଲି ବାଦଲଫଟା ବର୍ଷା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଆଜି ଏହା ୧୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ୬ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। କେଦାରନାଥ ଉପତ୍ୟକା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଭୀମତାଲ ଟ୍ରେକ୍‌ ପଥରେ ଭୂସ୍ଖଳନ ହେବାଦ୍ବାରା କେଦାରନାଥ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୋ‌ନପ୍ରୟାଗ ଏବଂ ଗୌରୀକୁଣ୍ଡ ମଧ୍ୟ‌‌‌ରେ କେଦାରନାଥ ରାଜପଥ ‌ଧୋଇ ହୋଇିଯିବା ଫଳରେ ଫସି ରହିଥିବା ପ୍ରାୟ ୫ ହଜାର ଯାତ୍ରୀଙ୍କୁ ବାୟୁସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ର ମିଳିତ ଅଭିଯାନରେ ସୁରକ୍ଷିତ ଉଦ୍ଧାର କରାଯାଇଛି।

Advertisment

ଏଥିସହ ଚାରିଧାମ ଯାତ୍ରା ଏବେ ବନ୍ଦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାୟୁସେନା ଏବଂ ଏମଆଇ୧୭ ‌ହେଲିକପ୍ଟର ଦ୍ବାରା ଅପରେସନ୍‌ ‌‌ଜୋରଦାର କରାଯାଇ ୫ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ହିମାଚଳରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷା ମଧ୍ୟରେ ଆଜି ଭୂସ୍ଖଳନ ହୋଇ ମଲାନା ଗାଁ କୁଲ୍ଲୁରୁ ବିଚ୍ଛିନ୍ନ ‌ହୋଇଯାଇଛି। ହିମାଚଳରେ ୪୫ ନିଖୋଜ ଲୋକଙ୍କୁ ଆଜି ଉଦ୍ଧାର କରାଯାଇଛି।