ଉତ୍ତରକାଶୀ: ଉତ୍ତରକାଶୀରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଶୁକ୍ରବାର ଅପରାହ୍ଣରେ ଡ୍ରିଲିଂ ମେସିନ ଖରାପ ହେବାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ବାୟୁସେନା ବିମାନ ଯୋଗେ ଇନ୍ଦୋରରୁ ନୂଆ ମେସିନ ଆସିବା ପରେ ଶନିବାର ସକାଳେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି। ଫସି ରହିଥିବା ଲୋକଙ୍କ ସହକର୍ମୀମାନେ ଏହି ଅପରେସନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ବର୍ତ୍ତମାନର ସଙ୍କଟ ପାଇଁ କମ୍ପାନି ଏବଂ ଏହାର ମହାପ୍ରବନ୍ଧକ ଦାୟୀ। ଫସି ରହିଥିବା ଶ୍ରମିକଙ୍କ ପରିବାରମାନେ ମଧ୍ୟ ଉଦ୍ଧାର କାର୍ଯ୍ୟ ଯେଭଳି ତ୍ବରାନ୍ବିତ ହେବାକଥା ତାହା ହେଉନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟନେଲ ଭୁଶୁଡ଼ିବା ମାମଲାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏହାର ନିର୍ମାଣକାରୀ ସଂସ୍ଥା ନିର୍ଦ୍ଧାରିତ ମାନକ ପ୍ରକ୍ରିୟା ଅନୁଯାୟୀ ପ୍ରତି ୩ କିମି ଟନେଲ ପାଇଁ ଏକ ପଳାୟନ ରାସ୍ତା ନିର୍ମାଣ କରିବା ପ୍ରତି ଧ୍ୟାନ ଦେଇନାହିଁ। ଏ ସଂକ୍ରାନ୍ତ ଯୋଜନା ପୂର୍ବରୁ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାନଯିବା ବିସ୍ମୟ ସୃଷ୍ଟି କରିଛି। ପଳାୟନ ମାର୍ଗ ନଥିବାରୁ ଉଦ୍ଧାର ପ୍ରକ୍ରିୟାରେ ଅନିଶ୍ଚିତତା ଦେଖିବାକୁ ମିଳୁଛି ଏବଂ ସମାନ୍ତରାଳ ଭାବେ ବିକଳ୍ପ ଟନେଲ ଖୋଳି ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୋଜନା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ନିକଟରେ ଟନେଲ ସ୍ଥଳକୁ ଗସ୍ତ କରିବା ଅବସରରେ ଟନେଲର ନକ୍ସା ଦେଖିବା ପରେ ବିକଳ୍ପ ପଳାୟନ ପଥ ନେଇ ପ୍ରଶ୍ନ କରିଥିଲେ। ବର୍ତ୍ତମାନର ସ୍ଥିତିରେ ଉଦ୍ଧାର ପ୍ରକ୍ରିୟା ଶେଷ କରିବାକୁ ଆହୁରି କିଛିଦିନ ଲାଗିଯିବ ବୋଲି ଜଣାପଡ଼ିଥିବାରୁ ଫସିଥିବା ଶ୍ରମିକଙ୍କ ପରିବାର ଆତଙ୍କିତ ହୋଇ ରହିଛନ୍ତି।

Advertisment

ସମାନ୍ତରାଳ ଡ୍ରିଲିଂ ବିଫଳ ହେଲେ ପାହାଡ଼ ଉପରୁ ହେବ ଖନନ
ଉଦ୍ଧାର କାର୍ଯ୍ୟକୁ ନେଇ ଅସନ୍ତୋଷ

ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟ୍‌ରେ ସୁଡ଼ଙ୍ଗରେ ପ୍ରବଳ ଫାଟିବା ଶବ୍ଦ ଶୁଣିବା ପରେ ଖନନ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ତେବେ ୬୦ ମିଟର ଭଗ୍ନାବଶେଷ ପଛରେ ଫସି ରହିଥିବା ଶ୍ରମିକମାନଙ୍କୁ ପାଇପ୍ ଯୋଗେ ଖାଦ୍ୟ ଓ ଜଳ ଯୋଗାଣ କରାଯାଉଥିବା ବେଳେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଦଳ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରୁ ମାତ୍ର ୨୪ ମିଟର ଭଗ୍ନାବଶେଷ ବାହାର କରିବାରେ ସକ୍ଷମ ହୋଇଛନ୍ତି। ଆମେରିକୀୟ ଅଗର ମେସିନରେ ବୈଷୟିକ ତ୍ରୁଟି ମିଳିବା ପରେ ଏବେ କାର୍ଯ୍ୟକ୍ଷମ ଥିବା ୨୫ ଟନ୍ ଓଜନର ଆମେରିକୀୟ ମେସିନ୍ ଭଳି ଉପକରଣ ଇନ୍ଦୋରରୁ ଅଣାଯାଇଛି। ଯଦି ସୁଡ଼ଙ୍ଗ ସମ୍ମୁଖରେ ସମାନ୍ତରାଳ ଡ୍ରିଲିଂ ବିଫଳ ହୁଏ, ତେବେ ପାହାଡ଼ ଉପରୁ ଖନନ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଯୋଜନା ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ସୀମା ସଡ଼କ ସଂଗଠନ ଏବଂ ଭାରତ-ତିବ୍ଦତ ସୀମା ପୁଲିସ ସମେତ ଏକାଧିକ ଏଜେନ୍ସିର ୧୬୫ ଜଣ ଯବାନ ୨୪ ଘଣ୍ଟିଆ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ରାଜ୍ୟ ଜରୁରିକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ କୁହାଯାଇଛି।

୭ ଦିନ ଫସିଲେଣି ଶ୍ରମିକ, ଚିନ୍ତାରେ ପରିବାର ଲୋକେ

ଡେରାଡୁନ୍: ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ୭ ଦିନ ଧରି ୪୧ ଶ୍ରମିକ ଫସି ରହିଥିବା ବେଳେ ପରିବାର ଲୋକମାନେ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି। ଗତକାଲି ଅପରାହ୍ନ ୩ଟାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉଦ୍ଧାର ପ୍ରକ୍ରିୟା ବନ୍ଦ ରହିଥିଲା। ଆଜି ପୁଣି ଭାରୀ ଡ୍ରିଲ୍ ମେସିନ ଆଣି ପାଇପ୍‌ ପଶାଇବା କାର୍ଯ୍ୟ ଚାଲିଥିଲେ ବି ଏହି ପ୍ରକ୍ରିୟାରେ ସଫଳତା ମିଳିବା ନେଇ ନାନା ଆଶଙ୍କା ଉପୁଜିଛି। ଗତ ରବିବାର ସକାଳୁ ଶ୍ରମିକମାନେ ଫସି ରହିଥିବାରୁ ୬ ଦିନ ପରେ ସ୍ଥିତି ଅତି ଜଟିଳ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି ଏବଂ ଷ୍ଟିଲ ପାଇପ୍ ମାଧ୍ୟମରେ ସେମାନଙ୍କୁ ଖାଦ୍ୟ, ପାଣି ଓ ଔଷଧ ଯୋଗାଇ ଦିଆଯାଉଛି। ଗତ ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସିଲ୍କିୟାରା ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪୧ ଜଣ ନିର୍ମାଣ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ଯାଇଥିଲେ। ଡ୍ରିଲ ମେସିନ ସାହାଯ୍ୟରେ ବଡ଼ ପାଇପ ଭର୍ତ୍ତି କରି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି। ଆଜି ବାୟୁସେନାର ଏକ ସି-୧୩୦ ହର୍କୁଲସ୍ ସାମରିକ ବିମାନରେ ଇନ୍ଦୋରରୁ ଦ୍ୱିତୀୟ ମେସିନ୍ ଅଣାଯିବା ପରେ ପୁନଶ୍ଚ କାର୍ଯ୍ୟ ପୂରା ଦମ୍‌ରେ ଚାଲିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଥାଇଲାଣ୍ଡ ଏବଂ ନରୱେରୁ ବିଶେଷଜ୍ଞ ଟିମ୍‌ ଖୁବ୍‌ଶୀଘ୍ର ଭାରତ ଆସି ଉଦ୍ଧାର ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏବେ ସେମାନଙ୍କଠାରୁ ଭର୍ଚୁଆଲ ମାଧ୍ୟମରେ ସହାୟତା ନିଆଯାଉଛି।