ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସିଲ୍କିରା-ବାରକୋଟ ଟନେଲରେ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଘଟଣାସ୍ଥଳର ଅନୁଧ୍ୟାନ କରୁଥିବା ଭୂତତ୍ତ୍ୱ ବିଜ୍ଞାନୀ ବରୁଣ ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟକୁ ବଢ଼ାଇବା ପାଇଁ ଜିଓମ୍ୟାପିଂ ସମେତ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ଘଟଣାସ୍ଥଳରେ ଆରଭିଏନଏଲ, ଜେଭିଭିଏନଏଲ ସମ୍ବନ୍ଧୀୟ ସଂଗଠନର ଭୂତତ୍ତ୍ୱ ବିଜ୍ଞାନୀମାନେ ଉପସ୍ଥିତ ଅଛନ୍ତି ।

Advertisment

ଶୁକ୍ରବାର ଡ୍ରିଲିଂ ମେସିନ୍କୁ ପୁଣି ଆରମ୍ଭ କରିବାକୁ ଉଦ୍ୟମ କରାଯାଉଥିବାବେଳେ ସେଥିରେ କିଛି ତ୍ରୁଟି ଦେଖାଯାଇଥିଲା । ପୁଣି ସୁଡଙ୍ଗ ଭିତରେ ସାମାନ୍ୟ ଭୂସ୍ଖଳନ ବି ଦେଖାଦେଇଥିଲା । ଆଜି ନୂଆ ମେସିନ ଆସିବା ପରେ  ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ରାଷ୍ଟ୍ରାୟତ୍ତ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ପକ୍ଷରୁ କୁହାଯାଇଛି।

ସେପଟେ, ସୁଡଙ୍ଗ ଭିତରେ ଶ୍ରମିକମାନେ ୧୫୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି । ସମୟ ଯେତିକି ଗଡ଼ିଚାଲିଛି, ସେମାନଙ୍କ ପରିବାର ଲୋକଙ୍କ ଉତ୍କଣ୍ଠା ଓ ଚିନ୍ତା ସେତିକି ବଢିଚାଲିଛି । ତେବେ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ଶ୍ରମିକ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ଅକ୍ସିଜେନ୍, ଔଷଧ, ଖାଦ୍ୟ ଓ ପାଣି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଏୟାର କମ୍ପ୍ରେସ୍ଡ୍ ପାଇପ୍ ଜରିଆରେ ଫସି ରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚାଇବାକୁ କର୍ତ୍ତୃପକ୍ଷ ସୁନିଶ୍ଚିତ କରିଛନ୍ତି।